ଇଚ୍ଛା ମୃତ୍ୟୁ ପତ୍ର
ଇଚ୍ଛା ମୃତ୍ୟୁ ପତ୍ର
ମୁଁ ମୋ ଇଚ୍ଛା ମୃତ୍ୟୁପତ୍ରକୁ ଶେଷ କରି ରଖୁରଖୁ ,
ପଛପଟୁ "ରହିଯାଅ" ବୋଲି ଶୁଭିଲା! !
ମୁଁ ପଛକୁ ଚାହିଁଲି,
କାଳେ କେହି ଡାକିଥିବ ଅନ୍ୟ କାହାକୁ ବୋଲି,
ମୁଁ ପୁନଶ୍ଚ ମୋ ଗନ୍ତବ୍ୟ ପଥରେ ବାହାରିଲି ।
ସେ ରାସ୍ତା ଭାରି ଅଙ୍କାବଙ୍କା ସତେ! !
ମରିବାକୁ ଚଢୁଥିବା ଗୋଟେ ଅନିର୍ଦ୍ଦିଷ୍ଟ ଶିଡି,
ଲୁଡୁ ପଟିର ସାପ - ସିଡି ଖେଳ ପରି କେବେ ଚଢୁଥିଲି,
ପୁଣି କେବେ କାହା ନିର୍ଦ୍ଦେଶରେ ପଛକୁ ଫେରୁଥିଲି! !
କେବେ କ୍ଷତାକ୍ତ ହସ୍ତ,ପାଦ ନେଇ ଜୀଉଁଥିଲି ,
କେବେ ପୁଣି ଝୁଣ୍ଟିପଡି ମୋ ଭାଗ୍ୟକୁ ନିନ୍ଦୁଥିଲି ।
ମୁଁ ଜାଣିନଥିଲି ମୁଁ ମୃତ୍ୟୁର ପଥିକଟିଏ ଥିଲି ବୋଲି !
ସେ ରାସ୍ତାରେ ସମସ୍ତେ ଥିଲେ ,
ପୁଣି ଯେମିତି ଜଣାପଡ଼ୁଥିଲା କେହି ବି ନଥିଲେ !
ତଥାପି ମୋତେ ଜଣାଥିଲା ମୋର ଉପସ୍ଥିତି ।
ଆଉ କେବଳ ଜାଣିଥିଲି ସେ ରାସ୍ତାର ପଥିକ ମୁଁ ହିଁ ଥିଲି !
କେହିଜଣେ ମୋ ସାଙ୍ଗରେ ଥିଲା ପରି ଲାଗିଲା !
ମୁଁ ବୁଲିକରି ପଛକୁ ଚାହିଁଲି,
ସେ ହସିହସି ମୋ ପଛେ ପଛେ ଆସୁଥିଲା !
ନାଲି ନାଲି ଓଠ , ନାଲି ପାଦ , ନୀଳରଙ୍ଗ ଦେହ ,
ତା'ର ସବୁଥିରେ ଖାଲି ଶୂନ୍ୟତା ଆବୋରି ବସିଥିଲା !
ଖୁବ୍ ନିର୍ବିକାର ଭାବେ ।
ମୁଁ ଏଥର ଖୁବ୍ ଜୋରରେ ହସିଲି ,
ତା' ସହ ପାଳି ଦେଇ! !
ଏଥର ଆଉକିଛି ଆଶଙ୍କା ନଥିଲା ,
ହାରିବାର, ହରାଇବାର , ଜିତିବାର , ପାଇବାର !
ମୃତ୍ୟୁ ଆସି ମୋ ହାତ ଧରି ସାରିଥିଲା ,
ତଥାପି ସେ ବେଳେ ଆଉ କିଛି ମୋର ଅବଶୋଷ ନଥିଲା ।
