ହସି ଦିଅ ଟିକେ
ହସି ଦିଅ ଟିକେ
ମନ ମାରି କାହିଁ ବସି ଗଲ ପ୍ରିୟ
ମନକୁ ହାଲୁକା କର,
ଏ ସମୟ ବେଶି ଦିନ ରହିବନି
ଡର କର ମନୁ ଦୂର ।। ୧
ଉଆଁସ ଅନ୍ଧାର ଗୋଟିଏ ରାତିର
ନିଶ୍ଚୟ ଉଇଁବ ଚାନ୍ଦ,
ପୂର୍ଣ୍ଣିମାର ଜହ୍ନ ନିଶ୍ଚୟ ଝଳିବ
ମନୁ ଦୂର କର ଦ୍ୱନ୍ଦ୍ୱ ।। ୨
ଧୈର୍ଯ୍ୟ ମନୋବଳ ନକରି ଦୁର୍ବଳ
ମନରେ ବାନ୍ଧ ସାହସ,
ବିପଦରେ ଯଦି ଧୈର୍ଯ୍ୟହରା ହେବ
ହୋଇଯିବ ସର୍ବନାଶ ।। ୩
ଯେଉଁ ଶତ୍ରୁ ପାଇଁ ଯେଉଁ ପ୍ରତିକାର
ତାହାକୁ ଜାଣିବା ଠିକେ,
ସେହି ପ୍ରତିକାର ଦୃଢେ ପାଳୁଥିଲେ
ସଙ୍କଟ ନଥିବ ଟିକେ ।। ୪
ବିପଦ ବେଳର ବଡ଼ ସହଚର
ଅଟେ ସିନା ମନୋବଳ,
ମନୋବଳ ବଳବତ୍ତର ରହିଲେ
ନିଶ୍ଚେ ମିଳି ଯିବ କୂଳ ।। ୫
ମନେ ଦୁଃଖ ଥିଲେ ହୃଦୟଟା ସିନା
ହୋଇଯାଏ ଭାରାକ୍ରାନ୍ତ,
ହୃଦୟର ଭାରେ ଶରୀର ଓ ମନ
ଉଭୟେ ହ୍ୱନ୍ତି ଆକ୍ରାନ୍ତ ।। ୬
ମନ ଓ ହୃଦୟ ସୁସ୍ଥ ଥିବ ଯେବେ
ଶରୀର ରହିବ ସୁସ୍ଥ,
ନହେଲେ ବିପଦ ଘନେଇ ଆସିବ
ହେବା ଖାଲି ଅପଦସ୍ତ ।। ୭
ହସି ଦିଅ ଟିକେ ଫୁର୍ତ୍ତି ରହୁ ମନ
ପାଖ ମାଡିବନି ଦୁଃଖ,
ଦେହ ମନ ହୃଦ ସୁସ୍ଥ ରହି ଥିଲେ
ଲହଡ଼ା ମାରିବ ସୁଖ ।। ୮
