STORYMIRROR

Geetanjali Prusty

Others

3  

Geetanjali Prusty

Others

ହସେ କାଶତଣ୍ଡି

ହସେ କାଶତଣ୍ଡି

1 min
378


ସରଗ ସୁଷମା ଧରାରେ ଖେଳାଇ

ମାଆ ଆସୁଛନ୍ତି ଆଜି

ହସୁଛି ଶରତ ହସେ କାଶତଣ୍ଡି 

ଫୁଲର ଗଜରା ସାଜି |


ଯୁଇ, ଯାଇ, ହେନା, ମଧୁମାଳତୀ ରେ

ପାର୍ବଣ ଖେଳୁଛି ହୋଲି

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ

ମାଆ ଆସୁଛନ୍ତି ବୋଲି |


ପାପ ତାପ ନାଶି ଶ୍ରଦ୍ଧା ସୁମନରେ

ଜଗତେ ରଚିବେ ଖେଳା

ତାଙ୍କ ଆଗମନେ ପକ୍ଷୀ କଳରବ

ପୁଷ୍ପ ସମ୍ଭାରର ମେଳା |


ଆଦ୍ୟ ଅଶ୍ୱିନର ସବୁଜିମା ସାଥେ

ସ୍ୱଚ୍ଛ ସରୋବର ଜଳେ

ନୀଳ କୁମୁଦିନୀ କୁନ୍ତଳ ହଲାଇ

ନିଶାକର ସାଙ୍ଗେ ଖେଳେ |


ଅପରାଜିତାର ଆନନ୍ଦ ଅଧିରା

ସୁକୋମଳ ତନୁ ଅଙ୍ଗ

ମାତୃ ଆବାହନେ ଗୌରବ ମଣ୍ଡିତା

ଶ୍ୱେତ ଅବା ନୀଳ ରଙ୍ଗ |


ଚାହିଁଛି ଶଶାଙ୍କ ଆକାଶ ବକ୍ଷ ରୁ

ଗାଇ ପ୍ରୀତି ଭରା ଗୀତି

ତା'ଜ୍ୟୋତ୍ସ୍ନା ପରଶେ ଆଲୋକିତ କରେ

ଧରାରେ ଖେଳାଇ ଜ୍ୟୋତି |


ବାଜା ବାଣ ସଙ୍ଗେ ଘଣ୍ଟ ହୁଳହୁଳି

କମ୍ପେ ଶୁଭ ଶଙ୍ଖ ଧ୍ଵନୀ

କେମିତି କେଜାଣି ଅଜଣା ପୁଲ୍ଲକେ

ଗାଏ ମନ୍ତ୍ର ଆବାହନୀ |


ପୁଷ୍ପ ବିମଣ୍ଡିତା ସଶସ୍ତ୍ର ଶୋଭିତା

ମାଆ ଦୁର୍ଗତିନାଶିନୀ

ଅନେକ ରୂପରେ ଅନେକ ନାମରେ

ମହା ଶକ୍ତି ପ୍ରଦାୟିନୀ |


ଅଧର୍ମ ଉପରେ ଧର୍ମର ବିଜୟ

ସଂହାରିବୁ ଦୁଷ୍ଟ ଜନ

ସତ୍ୟ ଶାନ୍ତି ପୁଣି ଫେରିବ ଧରାକୁ

ହେଲେ ତୋର ଆଗମନ |


ମାଆ ତୋ ଚରଣେ ଢାଳୁଛି ପ୍ରଣତି

ସଂସାରରେ ଶାନ୍ତି ପାଇଁ

ସର୍ବଜନେ ଖୁସି ଦେଇ ତୁ ସରାଗେ

ଫେରି ଯିବୁ ବର୍ଷେ ପାଇଁ 


Rate this content
Log in