ହସ ମଧୁମୟ ହସ ଥରେ କୃଷ୍ଣ
ହସ ମଧୁମୟ ହସ ଥରେ କୃଷ୍ଣ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ତୁମ ବଂଶୀ ସ୍ବନ ଶୁଣିବାକୁ ମନ
ହେ ମୋହନ ବଂଶୀଧର,
ସେହି କରୁଣାର ସ୍ବନରେ ବିଭୋର
ହେଉ ଦୁଃଖର ସଂସାର।
ଭୟ କ୍ରୋଧ ଘୃଣା ଅସୂୟା କରିଛି
ସବୁ ହୃଦୟ ପଥର
ଅଦୃଶ୍ୟ ଶତ୍ରୁର ଭୟରେ ଜଗତ
ପାଲଟିଛି ସ୍ୱାର୍ଥପର।
ସ୍ନେହ ପ୍ରେମ ଦୟା କାହିଁ ଲୁଚିଗଲେ
ତୁମ୍ଭ ସୁନ୍ଦର ସୃଷ୍ଟିରେ !!
ପାଶେ ଠିଆ ହୋଇ କଥା କହିବାକୁ
ପିତା ସଙ୍ଗେ ପୁତ୍ର ଡରେ !!
ମାଆର କୋଳରୁ ଶିଶୁ ଟାଣନିଏ
ସେ ଅଦୃଶ୍ୟ ଶତ୍ରୁ ଭୟ,
ମାଆର ମମତା ବିଳପିତା, କିନ୍ତୁ
ଶତ୍ରୁର ହୁଏ ଜୟ।
ବୁଭୁକ୍ଷୁ ଶ୍ରମିକ, ସୀମା ହୀନ ରାସ୍ତା
ଶିଶୁର ଶୂନ୍ୟ ଚାହାଁଣୀ,
ନୁଖୁରା ମଥାରେ ସଂସାରର ବୋଝ
ଏ ଅସମାପ୍ତ କାହାଣୀ।
ଦୟାକରି ଥରେ ବଜାଅ ତୁମର
ମୋହନ ମୁରଲୀ ଶ୍ୟାମ,
ତୁମ କରୁଣାର ଗୋବର୍ଦ୍ଧନ ତଳେ
ବିତୁ ସେମାନଙ୍କ ଯାମ।
କୁହ କୃଷ୍ଣ ଏ'କି କାଳୀୟର ବିଷ,
ଏ କି କଂସାସୁର କ୍ରୋଧ,
କାଳ ଯବନର ଭୟ ଭୟଙ୍କର
ଏ କି ସ୍ବୟଂ ଜରାସନ୍ଧ !
ହସ ମଧୁମୟ ହସ ଥରେ କୃଷ୍ଣ
ଅଭୟ ଦିଅ ସଂସାରେ,
ତୁମ୍ଭ ଦୟା ହେଲେ ମହାକାଳ ସତେ
ସୃଷ୍ଟିର କି କରିପାରେ ?
ବଜାଅ ମୋହନ ମୁରଲୀ ମାଧବ
ସୃଷ୍ଟି କୁ ଦିଅ ଜୀବନ,
ସେ କରୁଣା ସୁରେ ଅମୃତର ଧାରେ
ମୃତ ଲଭୁ ସଂଜୀବନ।