ହୋଲି
ହୋଲି
ଅସରନ୍ତି ଖୁସି ଅମାପ ଶରଧା
ହୃଦୟରେ ଭରି ଦେଇ
ବରଷକେ ଥରେ ଆସିଛିରେ ହୋଲି
ରଙ୍ଗର ପସରା ନେଇ l
ପିଲା ଠାରୁ ବୁଢ଼ା ସଭିଏଁ ଖେଳନ୍ତି
ହୋଲିରେ ଏକାଠି ହୋଇ
ଜାତି ଧର୍ମ ବର୍ଣ୍ଣ ମାନ ଅଭିମାନ
ମନୁ ପୁରା ଭୁଲି ଯାଇ l
ପିଚକାରି ମାରି ଫଗୁରଙ୍ଗ ଧରି
ଆନନ୍ଦେ ଖେଳନ୍ତି ହୋଲି
ଫଗୁଣ ଲଗନେ ଉଲ୍ଲସିତ ମନେ
ଗପନ୍ତି ହୃଦୟ ଖୋଲି l
ଅବିର ଉଡ଼ଇ ଆକାଶରେ ପରା
ପୀରତି ପସରା ମେଲି
ବିମାନରେ ବସି ଶ୍ରୀରାଧାଗୋବିନ୍ଦ
ଆସୁଥାନ୍ତି ଦାଣ୍ଡେ ବୁଲି l
ନାନାରଙ୍ଗେ ଭରା ମାଠିଆକୁ ଟାଙ୍ଗି
କରନ୍ତି ହୋଲିରେ ମଜା
ରାଧାକୃଷ୍ଣ ପ୍ରେମେ ମଜିଯାଇ ସର୍ବେ
ବଜାନ୍ତି ମୃଦଙ୍ଗ ବାଜା l
ସେନେହ ମମତା ଭାଇଚାରା ଭାବେ
ଲଗାଇ ପୀରତି ଛୁଆଁ
ରଙ୍ଗର ମେଲଣ ସବୁଠାରେ ବସେ
ସହର ହେଉ ବା ଗାଆଁ l
ସତରେ ଅନନ୍ୟ ନିଆରା ଏ ପର୍ବ
ମନେ ଭରେ ସ୍ନେହ ପ୍ରୀତି
ଗୌରବର ଗାଥା ସଂସ୍କୃତିର ବାର୍ତ୍ତା
ବଖାଣୁ ଥାଏ ସେ ନିତି l
