ହଜିନି ମୋ କଲମ
ହଜିନି ମୋ କଲମ
କେତେବେଳୁ ଖୋଜିଲିଣି ଡାଇରୀ ଭିତରେ , ବହି ଥାକର ପ୍ରତ୍ୟେକ କୋଣରେ ।
ମିଳୁନି ଜମା ମୋ କଲମ ।
ମୋତେ ଏକୁଟିଆ କରିଦେଇ , ଏମିତି କେମିତି ହଜିଗଲା କେଜାଣି !!!
ପତ୍ନୀ କହିଲେ , " ଛାର କଲମଟାଏ ତ , କେତେ ଆଉ ଖୋଜିବ ! ଏଥର ଭୁଲିଯାଅ ।"
ତା ସହ ମୋର ଚାଳିଶ ବର୍ଷର ସମ୍ପର୍କକୁ ଏତେ ସହଜରେ ଭୁଲିଯିବି କେମିତି !
କିଏ ଦେଇଥିଲା ମୋତେ ସେ କଲମ , ତା ଚେହେରା ଟା ଆଉ ମନେ ନାହିଁ ମୋର , ଅବା ଟିକେ ଝାପସା ହେଇଯାଇଛି ।
ହେଲେ ତା ଦେଇଥିବା କଲମର ଅନୁରାଗ ଦେଖ , ମୋ ହାତ ଛାଡି ଆଜି ଯାଏ ରହିନି ସେ କେବେ ।
ତାକୁ ମୁଁ କେମିତି ଭୁଲିବି କହିଲ !!
ସମ୍ପର୍କର ଡହଡହ ତାତିଲା ବାଲିରେ , ସରାଗ ପୁଳାଏ ଖୋଜିବା ଆଶାରେ , ଝୁଣ୍ଟି ହେଇ ପଡିଗଲେ ,
ହାତ ବଢ଼େଇ କୋଳେଇ ନିଏ ସେ ମୋତେ ଅତି ଯତନରେ ।
ଅମାପ ସ୍ନେହରେ ବାନ୍ଧି ନିଏ ସେ ମୋତେ ତା ହୃଦୟ ଭିତରେ ।
ମିଠା ମିଠା କଥା କହି , ମୋ ମନକୁ ଠକେଇ , ଜଗାଏ ସେ କେତେ ସୁପ୍ତ ରଙ୍ଗଭରା ସ୍ୱପ୍ନକୁ।
ରଙ୍ଗ ସବୁ ବୋଳି ଦେଇ ସାଦା କାଗଜରେ , ଉଡେଇ ନିଏ ସେ ମୋତେ ଦୂରକୁ ଦୂରକୁ , ଏ ହା ହୁତାଶର ଜୀବନ ଭିତରୁ , ଆହୁରି ଦୂରକୁ ।
ଅହର୍ନିଶି ଚାଲୁଥାଏ , ମୋ ହାତ ଧରି ।
ଠିକ ଭାବେ ବୁଝି ହୁଏନା , ମୁଁ ତାକୁ ଧରିଥାଏ , ନା ସେ ନିଜେ ମୋ ହାତେ ଧରା ଦିଏ ।
ତା ବିନା ମୁଁ ଅସ୍ତିତ୍ୱ ହୀନ ।
ଏମିତି କେମିତି ହଜିଯିବ ସେ !!
ମୁଁ ଆଉ ଟିକେ ଖୋଜେ , ଭଲରେ ଖୋଜେ । ଏଇଠି କୋଉଠି ଥିବ । ନିଶ୍ଚୟ ମିଳିବ !
