STORYMIRROR

Kali Kumar

Others

4  

Kali Kumar

Others

ହଜିଛି ବର୍ଷା

ହଜିଛି ବର୍ଷା

1 min
533

ଶ୍ରାବଣ ଖୋଜୁଛି    ବରଷାର ଧାରା

      ନିଦାଘୁ ବର୍ତ୍ତିବା ପାଇଁ,

ଠିକଣା ପାସୋରି  ମୌସୁମୀ ଫେରିଛି 

      ତାତି ଟିକେ କମୁ ନାହିଁ ।୧।

ନୀଳ ଅମ୍ବରରେ    କୃଷ୍ଣ ମେଘମାଳା

     ଜମାଟ ବାନ୍ଧୁନି ଆଉ,

ପୂରୁବ ଆକାଶେ   ରଙ୍ଗ ତୁଳୀ ଧରି

     ଇନ୍ଦ୍ରଧନୁ ଦୂରେ ଥାଉ ।୨।

ନୀଡ଼ ଛାଡ଼ି ପକ୍ଷୀ  ନୀର ଅନ୍ୱେଷଣେ

      ଭ୍ରମଇ ନାନାଦି ସ୍ଥାନ,

ଟାଙ୍ଗରା ଭୂଇଁର   କି ଦୁଃଖ କହିବି

     ଶୁଖିଲା ତା' ଦେହ ପ୍ରାଣ ।୩।

ମଣ୍ଡୁକ ଆକୁଳେ  ଆହ୍ୱାନ କରୁଛି

     ଦେବରାଜ ଶୁଣ ! ଶୁଣ !

ତ୍ରାହି! ତ୍ରାହି! ତ୍ରାହି!  ଗୁହାରି ଲଗାନ୍ତି

     ମର୍ତ୍ତ୍ୟବାସୀ ପୁଣ ! ପୁଣ ! ।୪।

ବୃକ୍ଷରାଜି ସବୁ  ପତ୍ରଶୂନ୍ୟ ହେଲେ

    ତୃଷ୍ଣାର୍ତେ ଆକାଶେ ଚାହିଁ,

ଶୁଷ୍କତା ଭରିଛି  ଜୀବନେ ସଭିଁଙ୍କ

    ହାହାକାର ପାଣି ପାଇଁ ।୫।

ପାଣି ହିଁ ଜୀବନ   ପାଣି ହିଁ କାରଣ

     ପାଣି ବିନା ସବୁ ଶେଷ,

ପାଣିର ବହୁଳେ   ପାଣିର ବିହୁନେ

     ଜୀବନ ଲାଗେ ଦୂର୍ବିଷ ।୬।

ବରଷା କାଳୀନ   ସୌରଭ ସମ୍ଭାର  

    ଦିଶୁନି ପ୍ରକୃତି କୋଳେ,

କାଗଜ ତିଆରି   ଡଙ୍ଗାର ସ୍ମୃତି ଯେ

    ଭାସୁ ନାହିଁ ଓଳି ଜଳେ ।୭।

ଚପଳା ଖେଳୁନି  ଚଞ୍ଚଳା ହୋଇ କି

     ଅନ୍ଧାରି ଆକାଶ ବକ୍ଷେ,

ଘଡ଼ଘଡ଼ି ନାହିଁ   ବାଦଲ ସହିତେ

     ଧରଣୀର ମୁହଁ ଶୁଖେ ।୮।

ଗ୍ରୀଷ୍ମ ହସୁଅଛି  ଆନନ୍ଦ ଉଲ୍ଲାସେ

    କାଳବୈଶାଖି, 'ଲୁ' ନେଇ,

ବରଷା ଝୁରୁଛି  ଶ୍ରାବଣୀ ଆଷାଡ଼େ

     ବିରହି ପ୍ରେମିକ ହୋଇ ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍