ହେ ପରମ କାରୁଣିକ ପ୍ରଭୁ ଜଗନ୍ନାଥ !
ହେ ପରମ କାରୁଣିକ ପ୍ରଭୁ ଜଗନ୍ନାଥ !


ଦେଖରେ ଜୀବାତ୍ମା ନୀଳାଚଳ କ୍ଷେତ୍ରେ
ମନ୍ଦିରେ ଦାରୁ ଦେବତା,
ଚର୍ମ ଚକ୍ଷୁରେ ତୁ ଦେଖିବା ସମ୍ଭବ
ନୁହେଁ ତାଙ୍କ ଅସୀମତା।
ରୂପ ତା ଅମୃତ,ହସ ତା ଅମୃତ
ଅମୃତମୟ ତା ଦୃଷ୍ଟି,
ଏ ଅମୃତମୟ ସଂସାର କରେ ସେ
ଅମୃତ ହସ୍ତରେ ସୃଷ୍ଟି।
ପାଦୁ ମକରନ୍ଦ ଝରିଯାଉଅଛି
ସେ ଅମୃତମୟ ଧାରା,
ଭାବେ ଭାଷି ଭାଷି ଏ ଜଗତବାସୀ
ଭାବବିହ୍ବଳିତ ପରା!
ଭାବର ଠାକୁର ଅଭାବକୁ ଦୂର
ଭାବବିନୋଦିଆ ହରି,
ତାଙ୍କ ଭାବେ ବନ୍ଧା ଏ'ସାରା ସଂସାର
ସୁତାଗୁନ୍ଥା ମାଳି ପରି।
ମଜ୍ଜିଲା ଯେ ଭାବେ ତରିଲା ସେ ଭବେ
ନପାରିଲେ ଗଲାସରି
ଅନିତ୍ୟ ସଂସାରେ ସୁଖାଚାରୀ ନରେ
ନଥାନ୍ତି ସେ ଭାବ ଧରି।
ସର୍ବଜନ ଆତ୍ମା ସେହି ପରମାତ୍ମା
ତାଠାରେ ସର୍ବ ନିହିତ,
ସେ କ୍ଷୀର ହୋଇଲେ ଏସଂସାର ନୀର
ବିଜଡିତ ଓତପ୍ରୋତ।
ସେ ଜଳ ସେ ଅଗ୍ନି ବାୟୁ ସେ ଆବର
ପୃଥିବୀ, ଆକାଶ ସେହି,
ସେ ସ୍ରଷ୍ଟା ସେ ସୃଷ୍ଟି ସେ ଅନ୍ତ ଅନନ୍ତ
ସେ ଅଦେହ ସେହି ଦେହୀ।
ତା ନାମରେ ପୂରିଅଛି ସର୍ବନାମ
ତା ଧାମରେ ସର୍ବ ଧାମ,
ତା କାମରେ ସର୍ବକାମ ତା ପ୍ରେମରେ
ପୂରିଅଛି ସର୍ବ ପ୍ରେମ।
ସେହି ସୂର୍ଯ୍ୟ ସେହି ଚନ୍ଦ୍ର,ତାରା ସେହି
ଆବର ଗ୍ରହ ମଣ୍ଡଳ,
ସେ ସର୍ବନକ୍ଷତ୍ର ବିଶ୍ବ ତାର କ୍ଷେତ୍ର
ସେ ସ୍ବର୍ଗ, ମର୍ତ୍ତ୍ୟ,ପାତାଳ।
ସେହି ସର୍ବଦେବ ସେହି ସର୍ବଧର୍ମ
ସେ ଅନନ୍ତ ସେ ଅମାପ,
ସେହି ତ୍ରାଣକର୍ତ୍ତା ସେ ବିନାଶଦାତା
ସେହି ପାପ ସେହି ତପ।
ସେ କରେ ସର୍ଜନା ସେ କରେ ପାଳନା
ଧ୍ବଂସ ବି କରଇ ସେହି,
ପାଉଁଶରେ କରି ଜୀବନ ସଂଚାର
ସବୁଜିମା କରେ ମହି।
ତାହା ନିର୍ଦ୍ଦେଶରେ ସୂର୍ଯ୍ୟ ଗତିକରେ
ଚନ୍ଦ୍ରଦିଏ ଶୀତଳତା,
ଅଉଷଧିବନ ହୁଅନ୍ତି ବର୍ଦ୍ଧନ
ବାୟୁର ସେହି ନିୟନ୍ତା।
ଆକାଶରେ ମେଘ ନିୟନ୍ତ୍ରଣ କରେ
ସାଗରେ ଢେଉ ଉଠାଏ,
ତା ଆଖିର ଠାରେ କଳା ମେଘ ଧାରେ
ବିଜୁଳି ସଂଚରି ଯାଏ।
ସେ ପରମପିତା ସେ ଜଗତକର୍ତ୍ତା
ସେହି ତ ପରମେଶ୍ବର,
ତାର ଇଚ୍ଛା ବଳେ କାଳ ଗତି କରେ
"କୋରୋନା" କାଳ କି ଛାର!!