ହେ ପ୍ରଭୁ
ହେ ପ୍ରଭୁ
ବିବର୍ଣ୍ଣ ଗ୍ରୀଷ୍ମର ତୁମେ ବର୍ଣ୍ଣାଢ଼୍ୟ ବସନ୍ତ
ବୈଭବରେ ଭରା ତୁମେ ଶୀତଳ ଶୈକତ
ରୁକ୍ଷ ମରୁଭୂମି ମଧ୍ୟେ ସବୁଜିମା ତୁମେ
ଭଗ୍ନଶାଖା ଅଗ୍ରେ କିଶଳୟ ତୁମେ ସତ।
ଶୀତଳ ଚନ୍ଦନ ତୁମେ ବିଦଗ୍ଧ ପ୍ରାଣର
ସିକ୍ତ ହୁଏ ଶୁଷ୍କ ମରୂ ଦର୍ଶନେ ତୁମର
ତୀବ୍ର ସ୍ରୋତସ୍ବିନୀ ମଧ୍ୟେ ତୁମେ ତ ନଉକା
ଅଗାଧ ସାଗରେ ତୁମେ ଏକା ପାରାବାର।
ସଚରାଚରର ତୁମ ବିନା ନାହିଁ ଗତି
ତୁମେ ହିଁ ତ ଆଶ୍ରା ଅଟ ହେ ଜଗତପତି
ତୁମେ ସତ୍ୟ ତୁମେ ଶିବ ତୁମେ ହିଁ ସୁନ୍ଦର
ତୁମେ ସାରା ବ୍ରହ୍ମାଣ୍ଡର ସୃଷ୍ଟି ଲୟ ସ୍ଥିତି।
ଅରକ୍ଷ ମୁଁ ନାହିଁ କେହି ସହାୟ ମୋହର
ବିଷୟ ବାସନା ସବୁ ଗ୍ରହ ଦୁର୍ନିବାର
ଆକର୍ଷିତ କରିଥାନ୍ତି ଦୁର୍ବଳ ମନକୁ
ବଳିୟାର ଚକ୍ରଧାରୀ କର ହେ ଉଦ୍ଧାର।