ହେ ପ୍ରଭୁ
ହେ ପ୍ରଭୁ
ଜନସମାଗମ ଥିଲା ଯୋଉଠି କାଲି
ଜନଶୂନ୍ୟ ଲାଗେ ସେଇ ଜାଗାଟା ଖାଲି
ମାଉସୀ ପାଖରେ ଯାଇ ହସୁଛି ସେଠି
ଲୋଟାଣିର ଲୁହ କିଏ ଦେଖିବ ଏଠି….
ପ୍ରକମ୍ପିତ ହେଉଥିଲା ତୋ ବଡଦାଣ୍ଡ
ଗୁଂଜରିତ ହେଉଥିଲା ତୋହରି ନାମ
ତୋ ଓଠ ହସରେ ଥିଲା ମୋ ଆଖି ଲୁହ
ମୋ କୋହରେ ଲୁଚିଥିଲା ତୋ ପ୍ରତି ମୋହ….
ଆର ଜନମରେ ଯଦି ମଣିଷ ହେବି
ଭିକାରିଟେ ହେଇ ପୁଣି ଜନମ ନେବି
ବଡ଼ଦାଣ୍ଡେ ଜାଗା ଖଣ୍ଡେ ଦେବୁ କାଳିଆ
ଏତିକି ତ ତୋ ପାଖରୁ ଆଶା ରଖିବି….
ଆଖି ଦେଖୁଥିବ ତୋର ଚକାନୟନ
ତୋ ନାମରେ ଚାଲୁଥିବ ପ୍ରତି ସ୍ପନ୍ଦନ
ଭିକ ମାଗୁଥିବି ତୋର ଭଜନ ଗାଇ
ଶରୀରକୁ ତୋ ପାଖରେ ସମର୍ପି ଦେଇ….
ମରିଗଲେ ହେଇ ଯିବି ଅଚିହ୍ନା ଶବ
କେହି ଜଣେ ସ୍ଵର୍ଗଦ୍ଵାର ନେଇକି ଯିବ
ମଣିଷ ଜନ୍ମରୁ ମତେ ମୁକତି ଦେବୁ
ତୋ ପାଦ ତଳ ର ଗୋଟେ ଫୁଲ କରିବୁ…।
(ରଜତ କୁମାର ନାୟକ)
