ହେ ବ୍ରହ୍ମାଣ୍ଡ ନାୟକ
ହେ ବ୍ରହ୍ମାଣ୍ଡ ନାୟକ
• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଆହେ ବ୍ରହ୍ମାଣ୍ଡ ନାୟକ ବୈକୁଣ୍ଠ ବିହାରି
ଚତୁର୍ଭୁଜ ଗଦାମ୍ବୁଜ ଶଂଖ ଚକ୍ର ଧାରି
• ସୁପର୍ଣ୍ଣ ଆସନ, ଚାରୁ ଶ୍ୟାମଳ ବିମଳ
କାନ୍ତି ବିଭାସେ, ମଞ୍ଜୁଳ ଶିଖିପୁଛ୍ଛ ଚୁଳ
• ବନ୍ଦଇ ମନ୍ଦରଧର,ଶୈ।ରି,ବଂଶୀଧାରି
ଆହେ ବ୍ରହ୍ମାଣ୍ଡ ନାୟକ ବୈକୁଣ୍ଠ ବିହାରି ।।
•
• ନିଃସହାୟ ନିଃସଙ୍ଗ ଏ ଅନିତ୍ୟ ସଂସାରେ
ବିକଳେ ଜଳେ ଜୀବନ ପଡି ଦୁଃଖାନଳେ
• ପର କରି ନରହରି ଦୂରେ ଦିଅ ଠେଲି
ଦୁଃଖୀ ଦରିଦ୍ର ବୋଲି କି କରୁଛ ଏଭଳି
• ତଥାପି ଡାକଇ ରଙ୍ଗାପଦେ ଲୟକରି
ଆହେ ବ୍ରହ୍ମାଣ୍ଡ ନାୟକ ବୈକୁଣ୍ଠ ବିହାରି ।।
•
• ପାର୍ଥିବ ସଂସାରେ ବିଷ ବିଷୟାରେ ଭୋଳା
ସହସ୍ର ଫଣୀ ଦଂଶନ ସମ ସହେ ଜ୍ବାଳା
• ରାହୁଗ୍ରାସେ ଯଥା ଚନ୍ଦ୍ର ଦିଶଇ ମଳିନ
ଶୀଶିର ପାତେ ଯେସନେ ଲୁଚଇ ନଳୀନ
• ତୁମ ବିନା ଦରଶନେ ହେଉଛି ସେପରି
ଆହେ ବ୍ରହ୍ମାଣ୍ଡ ନାୟକ ବୈକୁଣ୍ଠ ବିହାରି ।।
•
• ତୁମେ ଦୟାର ସାଗର ଦୟାନିଧି ନାମ
ପତିତ ତାରଣେ ନାମ ପତିତପାବନ
• ସହନଶୀଳତା ପଣେ ଶ୍ରୀବତ୍ସ ଲାଞ୍ଛନ
ଦୁଃଖୀ ଜନର ସଂଗାତ ହେ ରମାରମଣ
• ନିରତେ ଯାପଇ ଦିନ ତୁମକୁ ସୁମରି
ଆହେ ବ୍ରହ୍ମାଣ୍ଡ ନାୟକ ବୈକୁଣ୍ଠ ବିହାରି ।।
•
• ସୁଷ୍କ ସଲିଳେ ସରସୀ ପରାୟ ବିଦିର୍ଣ୍ଣ-
ହୁଏ,ତମ-ମୟ ଦେଖ ହେଲାଣି ଜୀବନ
• ମଉଳା ବାସି-ସୁମନ ସମାନ ଏ ମନ
ବିଷାଦେ କଟଇ ତବ ବିହୁନେ ମୋ ଦିନ
• କି ଦୋଷେ ଦଣ୍ଡୁଛ କିବା ଦୋଷ ଦଇତାରି
ଆହେ ବ୍ରହ୍ମାଣ୍ଡ ନାୟକ ବୈକୁଣ୍ଠ ବିହାରି ।।
•
• ତୁମ ନାମ ଗୁଣ ସୁଧା ସାଗର ଲହରୀ
ଏ ଜୀବନ ମନ ନିଏ ନିମଜ୍ଜିତ କରି
• ପ୍ରଫୁଲ୍ଲ ହୃଦୟ ପଦ୍ମ ତୁମେ ରବି କର
ମୋ ଚିତ୍ତକୁ ଭକ୍ତି,ପ୍ରେମେ କରହେ ବିଭୋର
• ଜୀବ ଛାଡିଯାଉ ଛନ୍ଦା ପଦକୁ ସୁମରି
ଆହେ ବ୍ରହ୍ମାଣ୍ଡ ନାୟକ ବୈକୁଣ୍ଠ ବିହାରି ।।
