ହବିଷ୍ୟାଳୀ ହେବାକୁ ଇଚ୍ଛାମୋର
ହବିଷ୍ୟାଳୀ ହେବାକୁ ଇଚ୍ଛାମୋର
1 min
12.7K
ପୂର୍ଣ୍ଣ କାର୍ତ୍ତିକରେ
ହବିଷ୍ୟାଳୀ ହେବାକୁ ଇଚ୍ଛା ମୋର
ଜୀବନ ସଂଗ୍ରାମେ
ହାରିଯାଇନଥିବାର ଆତ୍ମଗ୍ଲାନି ଟାଣିଆଣେ ତୋରି ପାଖକୁ
ସଂପଦର ଚକ୍ରବ୍ୟୁହରେ ଯନ୍ତ୍ରବତ୍ ସୂତା ଖିଅଟେ ମୁଁ
କପଡା ହବାର ଆଶା ନାହିଁ ଯେଣୁ !
ପୁଣି ନେତ୍ର ମୋର ତତେ ଦେଖୁଥିବ
ସେହି ଦିବ୍ୟ ରତ୍ନ ସିଂହାସନେ
ଆଂଗୁଠି ଗଡୋଉ ଥିବ ମାଳି
ନାମ ମାଳ ଝରୁଥିବ ତୁଣ୍ଡରୁ ମୋହର
ଉଦଗ୍ରୀବ କର୍ଣ୍ଣ ମୋର ଭରି ଚାଲିଥିବ
ଗଉଣି ଗଉଣି ନାମ ସଂକୀର୍ତ୍ତନ ।
ଆଲଟ ଚାମର ତଳୁ ତୋ ଆଖି
ଦରାଣ୍ଡୁଥିବ ମୋତେ !
ମିଳନରେ ଅଶ୍ରୁ ଝରିଥିବ ମୋ ଆଖିରୁ
ପୁଣି ତୋ ଆଖିରୁ ବି
ଅଦୃଶ୍ୟ ହାତ ତୋର ପୋଛିନେବ
ପାପ ତାପ ଘୃଣା ଆଉ ପରଶ୍ରୀକାତର
ଗୁଣ ମୋର ସେହି ଲୁହ ସାଥେ
ମୁଁ ଜଡୋଉଥିବି ନିଜକୁ
ତୋ ଆଖି... ଲୁହ ଚନ୍ଦନରେ
ସେହି ହବିଷ୍ୟାଳୀ ହେଇ
ତୋରି ବେଢାରେ ।
ପ୍ରତାପ ନାୟକ
