STORYMIRROR

Prasant Kumar Nath

Others Tragedy

2  

Prasant Kumar Nath

Others Tragedy

ହାତ ଠାରି ଡାକେ ମୋର ଗାଆଁ

ହାତ ଠାରି ଡାକେ ମୋର ଗାଆଁ

1 min
2.6K


ହାତ ଠାରି ଆଜି ଡାକୁ ଅଛି ମୋତେ

ମୋର ସେହି ଛୋଟ ଗାଆଁ

ଗାଆଁ ନୁହେଁ ସତେ ମୋପାଇଁ ଅଟଇ

ମମତାମୟୀ ସେ ମାଆ ।

କହୁଛି ସନ୍ତାନ ମୋତେ ଛାଡ଼ି ଏବେଯାଉଛନ୍ତି ବହୁ ଦୁରେ

ମାଆ ମନ ମୋର ଏମିତି ଅବୁଝା

ଘଡ଼ି ଘଡି ତାଙ୍କୁ ଝୁରେ ।

ଧାନ କ୍ଷେତ ମୋର ପଡିଆ ପଡୁଛି

ବୁଲୁ ନାହିଁ ଆଉ ହଳ

ଖାଆଁ ଖାଆଁ ଲାଗେ ସବୁ କିଛି ଏବେ

ଶୂନ୍ୟ ଶୂନ୍ୟ ମୋର କୋଳ।

ମଗୁଶୁର ଏବେ ଆସୁଛି ଯାଉଛି

ହସୁ ନାହିଁ ଧାନ ଖଳା

ବିରି ମୁଗ କଥା ନକହିଲେ ଭଲ

ଅଦୃଶ୍ୟ ହେଲା ବେଙ୍ଗଳା ।

ଗାଈ ଗୋଠ ଏବେ ଖାଲି ଖାଲି ପୁରା

ଗୁହାଳର ଦେଖା ନାହିଁ

ଜୁଈ ଜାଇ ହେନା ମାଳତୀର ବାସ

ଏବେ ଆଉ ବାସୁ ନାହିଁ ।

ପୂଜା ପରବଟା ପାଣିଚିଆ ଲାଗେ

ନାହିଁ ସେହି ହସ ଖୁସି

ବରଷାରେ ଦାଣ୍ଡ କାଦୁଅ ହେଉନି

ବିଲକୁ ଯାଉନି ଚାଷୀ ।

ରବି ସିନା ଉଠି ପୂରୁବ ଦିଗରେ

ପଶ୍ଚିମରେ ଅସ୍ତ ହୁଏ

ହେଲେ ତାର ସେହି ରକ୍ତିମ ସୌନ୍ଦର୍ଯ୍ୟ

ଫିକା ଫିକା ଲାଗୁଥାଏ ।

ସନ୍ତାନ ବିନା କି ମାଆ ଖୁସି ହେବ

ବଢ଼ୁଥିଲେ ଯେତେ ନାଆଁ

ସେପାଇଁ ବହୁନି ହାତ ଠାରି ଆଜି

ଡାକୁ ଅଛି ମୋର ଗାଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍