ହାଏ
ହାଏ
ସାତ ରଙ୍ଗେ ପ୍ରିୟା ସପନ ସଜେଇ
ସପନରେ ଥୋଇ ଗଲୁ..।
ପାଉଁଶ ହେଲି ମୁଁ ଯୋଉ ନିଆଁରେ
ତୁ ଦେହ ହାତ ସେକୁଥିଲୁ..॥
ପ୍ରତି ନିଶ୍ଵାସେ ମୁଁ ଦହସିତ
ତୁ ଗୁଣୁଗୁଣୁ ଗାଉଥିଲୁ..।
ବଇଶାଖ ମୋତେ ଜାଳିଦେଲା
ତୁ ବସନ୍ତରେ ହଜିଗଲୁ..॥
ମୋ ଆଖି ଅସରା ଶ୍ରାବଣରେ
ତୋର ପଣତ ଭିଜେଇ ଗଲୁ..।
ଧୋଇ ଧାଇ ସେଇ ପଣତରେ
କାହା ମୁହଁ ପୋଛି ଦେଖୁଥିଲୁ..॥
ବିଦୀର୍ଣ୍ଣ ହୃଦୟ ବେଳା ଭୁଇଁ ପରେ
କଇଁକଇଁ କାନ୍ଦୁଥିଲୁ..।
ମୋ ପାଇଁ ଶେଷ ଲୁହ ଝରି ବୋଧେ
ସବାରୀରେ ବସିଗଲୁ..॥
ନଇର ଧାରରେ ଜହ୍ନ ଆଲୁଅରେ
ବିଷ କି ଝରେଇଗଲୁ..।
ଆଇନାରେ ନିଜେ ନିଜକୁ ଚିହ୍ନେନା
ଭୁଲି ଯାଏ ଭୁଲୁ ଭୁଲୁ..॥
ହୃଦୟ ଭିତରେ ପାଉଁଜି ପିନ୍ଧି ତୁ
ଏମିତି କାହିଁକି ଚାଲୁ..।
ଛାଇ ଦେଖି ମୋର ଚମକି ମୁଁ ଚାହେଁ
ଏଇ ଥିଲୁ ଏଇ ଗଲୁ..॥
କୁଞ୍ଜ ବନେ ଆଜି ଯନ୍ତ୍ରଣାର ସୁର..
ବଇଁଶୀ ଚୋରେଇ ନେଲୁ..।
ରାଇ ରାଇ ବୋଲି କାନ୍ଦେ କାହ୍ନୁ ମନ
ଜମୁନା ଆଖିରେ ଦେଲୁ..॥
ପ୍ରୀତି କଦମ୍ଵରେ କାଦମ୍ବରୀ ସତେ
ମିଶେଇ ପିଆଉ ଥିଲୁ..।
ଜହ୍ନ ଜୋଛନାରେ ଜଳିଯାଅ ବୋଲି
ଅଭିଶାପ ଦେଇ ଗଲୁ..॥
ଏ ଜୀବନ ଆଜି ଉଆଁସ ରାତି ତୁ
କାହିଁକି ଏମିତି କଲୁ..?
ନିଜକୁ ନିତି ମୁଁ ପଚାରୁଛି ତୁ କି
ଉତ୍ତର ଦେବାକୁ ଥିଲୁ..॥
**************
ହା..ହା..ହା..
bhabani charan mishra
mohana (gajapati )
