STORYMIRROR

Pratap Kishore Rout

Others

4  

Pratap Kishore Rout

Others

ଗୁରୁ ଦିବସ

ଗୁରୁ ଦିବସ

1 min
326

ସର୍ବ ଦେଵ ମୟ ଗୁରୁ

         ତୁମେ ବାଞ୍ଛା କଳ୍ପ ତରୁ

ତୁମେ ବ୍ରହ୍ମା ବିଷ୍ଣୁ ତୁମେ ହିଁ ମହେଶ୍ବର

ତୁମେ ସତ୍ୟ ତୁମେ ପଥ

        ତୁମେ ଅନାଥର ନାଥ

ତୁମେ ଗତି ତୁମେ ମୁକ୍ତି ବ୍ରହ୍ମ ଅକ୍ଷର

   ତୁମ ପାଦେ କୋଟି ପ୍ରଣତି

ତୁମ କୃପାବଳେ ପାହେ ଯେ ଅମା ରାତି ।


ତୁମେ ଜପ ତୁମେ ତପ

          ତୁମେ ହିଁ ବ୍ରହ୍ମ ସ୍ୱରୂପ

ଅଜ୍ଞାନ ତିମିରେ ଜ୍ଞାନ ଦୀପ ଜଳାଇ

ତୁମ ବିନା ନାହିଁ ଗତି 

          ତୁମବିନା ନାହିଁ ମୁକ୍ତି

ସତ୍ୟ ପଥେ ତୁମେ ସଦା ନିଅ ଚଳାଇ

     ତୁମ ବିନା ସବୁ ଅସାର

ପଙ୍ଗୁ ଲଂଘେ ଗିରି ତରେ ଭବ ସାଗର ।


ଭାରତୀୟ ସଂସ୍କୃତିରେ

          ଗୁରୁଙ୍କ ସ୍ଥାନ ଉଚ୍ଚରେ

  ଗୁରୁ ଙ୍କ ଆଦେଶ ସଦା ମଥାରେ ବହି

ନିଜେ ସ୍ୱୟଂ ଭଗବାନ

           ଗୁରୁଙ୍କୁ କରି ବହନ

ଦେଇଛନ୍ତି ମହା ଶିକ୍ଷା ସଭିଙ୍କୁ ସେହି

   ଗୁରୁ ପଦେ ରଖିଣ ମତି

ତାଙ୍କ ଦୟା ରେ ଖଣ୍ଡିବ ମହା ଦୁର୍ଗତି ।


ବଶିଷ୍ଠ ଓ ସନ୍ଦିପନୀ 

         ରାମ କୃଷ୍ଣ ଗୁରୁ ବେନି

  ଶିଖାଇ ଥିଲେ ସଂସାର ସାର ମରମ

ଏକଥା ମଣିଷ ହେଜି

          ଅସାର ସବୁ ବରଜି

ଗୁରୁ ସେବି ସତ୍ୟ ପଥେ କର କରମ

   ଜନମ ହୋଇବ ସଫଳ

ତାଙ୍କ ବିନା ଏ ସଂସାରେ ନମିଳେ ଫଳ ।


ଧନ୍ୟ ଆମ ଆର୍ଯ୍ୟ ଭୂମି

         ସେହି ମାଟିରେ ଜନମୀ

ଗୁରୁ ପରମ୍ପରା ହେଉ ଆମର କାମ୍ୟ

ସେହୁ ଗୁରୁଙ୍କ ଚରଣେ

          ଚିତ୍ତ ରଖି ଅନୁକ୍ଷଣେ

ଅରଜିବା ଜୀବନରେ ମହାର୍ଗ ଧର୍ମ

   ସଦା ବହି ଗୁରୁ ଆଶୀଷ

ସତ୍ୟ ପଥେ ଚାଲି କର ଚିତ୍ତ ହରଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍