ଗୁମୁରି
ଗୁମୁରି
ଶଶାଙ୍କ ଶେଖର ରାୟ
ହଜି ଗଲାଣି ସେଦିନର ସ୍ମୃତି
ଗାଁ ଆଉ ଗାଁ ନୁହେଁ
ପାଲଟିଯାଇଛି ଯେମିତି ଆଜି ଖାଁ ଖାଁ ମଶାଣୀ
ନାହିଁ ଆଉ ଧାଡି ଧାଡି ନୁଆଁଣିଆ
ଝାଟିମାଟି ଚାଳଘର
ମାଟି ପଙ୍କ କାଦୁଅ ଭରା
ଗାଁର କଚ୍ଚା ସଡକ
ବଦଳିଯାଇଛି ଯେମିତି ମାନଚିତ୍ର ତାର ।
ଗଢି ଉଠିଛି ଅବିଶ୍ଵାସର ଜଙ୍ଗଲଟିଏ
ସ୍ନେହ ପ୍ରେମ ଗଛ ସବୁ ହେଲେଣି ପଦା
ବିଜୁଳି ଆଲୁଅର ଇନ୍ଦ୍ରଧନୁରେ ଆଜି
ଚମକି ଉଠୁଛି ମୋ ଗାଁର ମୁହଁଟି ସଦା ।
ଗାଁ ମୁଣ୍ଡେ ଝଙ୍କାଳିଆ ବୁଢା ବରଗଛ
ସରୁ କଙ୍କାଳି ବୁଢୀ ପେଟା ନଈ
ଜଗିରହିଛନ୍ତି ଦୁହେଁ ଯେମିତି
ମୂକ ସାକ୍ଷୀଟିଏ ହୋଇ
କେଉଁ କାଳରୁ ଯେ ତାର ଠିକଣା ନାହିଁ ।
ଶୁଭୁନାହିଁ କୋଳାହଳ ପକ୍ଷୀର କାକଳି
ସବୁକିଛି ଲାଗେ ଆଜି ଶୂନଶାନ
ଚିହ୍ନାମୁହଁ ସବୁ ଲାଗନ୍ତି ଅଚିହ୍ନା
ମନେପଡେ ଆଜି ହଜାଇଥିବା ମୋ ପିଲାଦିନ ।
ସକାଳର ଘଣ୍ଟ ଶଙ୍ଖ ହୁଳହୁଳି
ଗୋଧୂଳିରେ ଧାଡିଧାଡି ଗାଈମାନଙ୍କର ହମ୍ଵାହମ୍ଵା ରଡି
ସଂଧ୍ୟାରେ ଭାଗବତ ପଢାର ଆସର
ଶୁଣିବାକୁ ଲାଗିଥାଏ ଗାଁ ଲୋକଙ୍କର ଭିଡ ।
ଖରାଦିନେ ବାପାଙ୍କୁ ଲୁଚି
ମାଛଧରା ନଈ ପହଁରା
ଚୋରିକରୁଥିଲି ପର ବାଡିରେ ପଶି
ସାଙ୍ଗମେଳେ ପିଜୁଳି ଆମ୍ଵ ଆଉ ବରକୋଳି ।
ଲଙ୍ଗଳା ହୋଇ ଖେଳୁଥିଲି ମୁଁ
ଷଢେଇ ମିଛିମିଛିକା ବରକନିଆର ଖେଳ
ଦେହେ ଚନ୍ଦନ ପରି ମାଖୁଥିଲି
ଗାଁ ଦାଣ୍ଡଯାକର ଧୂଳି ।
ମୁଣ୍ଡ ବାଡେଇ ବୋଉ ମୋର ଚଉରା ମୂଳେ
କଣ କହୁଥିଲା କେଜାଣି
ନିତି ସଞ୍ଜସକାଳେ
ଆଖିରେ ତାର ଲୁହକୁ ପଖାଳି ।
ରଜଝୁଲି ପାନଖିଆ ପାଟିନାଲି
ପଡିଆରେ ଜମିଯାଏ କାଦୁଅରେ ବାଗୁଡି
ତାସର ଆସର ପୋଡପିଠା ମଣ୍ଡାର ସୁଆଦ
ଚାଖୁଥାଏ ଘରେ ଘରେ ବୁଲି
ପାରୁନି ମୁଁ ଏ ଯାଏଁ ତାକୁ ଭୁଲି ।
ବୁଢୀଅସୁରାଣୀ ରାଜକୁମାରୀର ପ୍ରେମ କାହାଣୀ
ନିଦ ଆସେ ଜେଜେମା କୋଳେ ଶୁଣି ଶୁଣି
ଦୀପର ଘିଅ ସଳିତା ପରି
ବାପା ବୋଉ ମୋର ନିଜେ ଜଳିଜଳି
ଜାଳୁଥାନ୍ତି ମୋ ପାଇଁ।ଏ ଜାଗର ଦୀପାବଳୀ ।
ଖୁଦୁରୁକୁଣୀ କୁଆଁରପୁନେଇ ରକ୍ଷାବନ୍ଧନ
ସାନ ଭଉଣୀର ମିଠା ସେନେହ ପରାଣ
ଅଗିନିଆଁରେ ଖୋଜିପାଇବାକୁ ନଡିଆ ବାଇଗଣ
ମଗୁଶୂର ଗୁରୁବାର ଝୋଟି ମାଣବସା ଲକ୍ଷ୍ମୀପୁରାଣ
କାର୍ତ୍ତିକରେ ହବିଷ ଅନ୍ନ ବୋଇତ ବନ୍ଦାଣ
ରଜଦୋଳି ରଙ୍ଗଅଭିରର ମେଲଣ
ଓଡିଆ ପୁଅ ବୋଲି ଗର୍ବକରୁଥାଏ ମୋ ମନ ।
ପିଠାପଣାର ଦିଆନିଆ ପରମ୍ପରା
ଗୋଟିଏ ସୂତାରେ ବନ୍ଧା ଥିଲା ଆମ ଭାଇଚାରା
ଅପରାଧୀ କେବେ ଯାଇନି ଥାନା କଚେରୀର ଦ୍ଵାର
ଆପୋଷ ସମାଧାନ ହୁଏ ବସି ପରସ୍ପର ।
ଏକାଠି ସମସ୍ତେ ମିଳିମିଶି
ଠିଆ ସୁଖଦୁଃଖ ସଙ୍କଟେ
ହେଉଅବା ଗାଁ ଯନ୍ତାଳ ଯାଗଯଞ୍କ ବିବାହକର୍ମ
ନହେଲେ ନଈବଢି ଘରପୋଡି ଶ୍ମଶାନ ଘାଟେ ।
କୁଆ କା କରିବା ଆଗରୁ
ଜେଜେ ଦାଦା ହଳଲଙ୍ଗଳ ନିଅନ୍ତି ବିଲକୁ
ହିଡମୁଣ୍ଡେ ବସି ପଖାଳ ବଢି ଶୁଖୁଆ ପୋଡାର ସ୍ଵାଦ
ଭୁଲିପାରୁନି ମୁଁ ଖୋଜୁଛି ଆଜି ବି ତାକୁ ।
ବିଦେଶରୁ ଯଦି କେହି ଆସିଲେ ଗାଁକୁ
ଲମ୍ଵିଯାଏ କୁନିକୁନି ହାତ ସଭିଁଙ୍କର
ସେନେହଭରା ଆତ୍ମୀୟତା ଚକଲେଟର ସ୍ଵାଦ
ଭାରି ମିଠା ଲାଗେ ନ ଭାବି ପରଆପଣାର ।
ଵଦଳି ଯାଇଛି ସଂପର୍କ ଆଜି ସେଦିନର
ବାପପୁଅ ସ୍ଵାମୀସ୍ତ୍ରୀ ଭିତରେ ଯେମିତି ସାତପର
ନାହିଁ ସେ ଆତ୍ମୀୟତା ସ୍ନେହଆଦର
ସବୁ ସ୍ଵାଦହୀନ ଲାଗେ ଜୀବନଟା ବେକାର ।
ସମୟଟା ଭାଙ୍ଗିଦେଇଛି ଆଜି ଗାଁର ମେରୁହାଡ
ବିଲବାଡି ହେଲାଣି ବେଣାମୂଳ
ମରୁଡି ବନ୍ୟାର ରୂପ ବିକଟାଳ
ବେକାରୀର ଭୋକିଲା ପେଟ ବିକଳ
ବିଦେଶେ ଦାଦନ ଖଟିବାକୁ ହୁଏ ବ୍ୟାକୁଳ ।
ଆପେ ବଞ୍ଚିଲେ ପରା ବାପର ନାଁ
ଗାଁ ପାଇଁ ଭାବିବାକୁ ବେଳ କିଆଁ
ଧୀରେଧୀରେ ହଜିଯାଉଛି ଭାଇଚାରା ମଣିଷପଣିଆଁ
ଗୁମୁରି ଗୁମୁରି କାନ୍ଦୁଛି ଆଜି ମୋ ଗାଁ ।
ଗୁମୁରି ଗୁମୁରି କାନ୍ଦୁଛି ଆଜି ମୋ ଗାଁ ।
ମୋ- ୭୩୭୭୧୯୭୯୯୯
ବଟରପଡା ରାଜକନିକା କେନ୍ଦ୍ରାପଡା
