ଗୁଡ୍ ମଣିଙ୍ଗ୍
ଗୁଡ୍ ମଣିଙ୍ଗ୍
ଶୀତୁଆ ସକାଳ ବୁକୁଥରା ଶୀତ
ଘନ କୁହୁଡ଼ି ଯେ ପଡ଼ିଥାଏ
ହେଲେ ଉଠିବାକୁ ହୁଏନାହିଁ ଇଚ୍ଛା
ଆଲାରାମ୍ ବାଜି ବାଜି ରହିଯାଏ ।
ଶୁଭୁଥାଏ ପରା ପକ୍ଷୀଙ୍କ କାକଳି
ସତେ କୁହନ୍ତି ଶୁଭ ସକାଳ
ଦାଣ୍ଡ ଖରକିବା ଶବଦ ଶୁଭଇ
କେହି ବାହାରନ୍ତି ତୋଳି ଫୁଲ ।
ପ୍ରଭାତ ଭ୍ରମଣ ଦେହ ପାଇଁ ହିତ
ଉଠି ଚାଲନ୍ତି ଭ୍ରମଣକାରୀ
ନବବଧୂ ପରା ସଅଳ ଉଠିସେ
ଦେଇଥାଏ ନିତ୍ୟକର୍ମ ସାରି ।
ଡ୍ରେସିଙ୍ଗ୍ ଟେବୁଲ୍ ସମ୍ମୁଖରେ ବସି
ପ୍ରିୟା ସଜାଏ ରୂପକୁ ତା'ର
ସକାଳ ହେଲାଣି ଉଠିପଡ଼ ତୁମେ
ଏଣେ ଡାକୁଥାଏ ବାରମ୍ଵାର ।
ପ୍ରେମିକ ପ୍ରବର ଘୋଡ଼ିଘାଡ଼ି ହୋଇ
ଶୀତେ ରହିଥାଏ ଚେଇଁ ଶୋଇ
ଭଲ ଲାଗେ ପ୍ରିୟା ଗୁଡ୍ ମଣିଙ୍ଗ୍ କହି
ଯେବେ ଦିଏ ନିଦରୁ ଉଠେଇ ।
ଗୁଡ୍ ମଣିଙ୍ଗ୍ ସହ ଭାରି ଭଲ ଲାଗେ
ପ୍ରେମ ଭରା ବେଡ୍ ଟି ର ସ୍ଵାଦ
ଭଲପାଏ ବୋଲି କହିଦେଲେ ପ୍ରିୟା
ମନ ହୋଇଯାଏ ପ୍ରଫୁଲ୍ଲିତ ।।
