ଗ୍ରୀଷ୍ମ
ଗ୍ରୀଷ୍ମ
ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସ
ପ୍ରଚଣ୍ଡ ରୌଦ୍ର ପରକାଶ।
ଅତି ତପତ ହୁଏ ଧରା
ସହି ନହୁଏ ଟାଣ ଖରା।
ନଭ ମଣ୍ଡଳୁ ଅଗ୍ନି ବର୍ଷା
ମହୀ ମଣ୍ଡଳେ ବୁଡ଼େ ହଂସା।
ଦେଖି ସମାଜେ ଅଂଶୁଘାତ
ଅସହ୍ୟ ହୁଏ ବିତ ପାତ।
ଜଳବିହୁନେ ସୃଷ୍ଟିନାଶ
ବୃକ୍ଷେ ଜଳନ୍ତି ପାଇ ତ୍ରାଶ।
ବୈଶାଖ ମାସ ଧର୍ମ ମାସ
ମାହାତ୍ମ୍ୟ ପଢି ହୁଅ ତୋଷ।
ମହାବିଷୁବ ସଂକରାନ୍ତି
ସ୍ନାହାନ ଦାନ କରିଥାନ୍ତି।
ସେହି ଦିନ ଠାରୁ ମାସାବଧି
ଜଳ ଦାନର ନାନାବିଧି।
ପଥ ପ୍ରାନ୍ତରେ ଜଳଛତ୍ର
ରଖି ଥାଆନ୍ତି ଥଣ୍ଡା ପାତ୍ର।
ପ୍ରତିମନ୍ଦିରେ ପଣାଦାନ
କରି ତୋଷନ୍ତି ଜନମନ।
ପଣା ସଂକ୍ରାନ୍ତି ନାମ ତେଣୁ
ବର୍ଷ ଆରମ୍ଭ ସେହିଦିନୁ।
ପାଳନ୍ତି ଜନେ ହୋଇତୋଷ
ସେଥିରେ ନାହିଁ ଅବସୋସ।
ନବମୀ ତିଥି ଶୁକ୍ଳପକ୍ଷ
ପାଳି ହୁଅନ୍ତି ସର୍ବେ ମୋକ୍ଷ।
ଶ୍ରୀରାମ ଜନ୍ମ ବୈଶାଖରେ
ପାଳନ୍ତି ଜଣେ ଆନନ୍ଦରେ।
ଗ୍ରୀଷମ ବାଧା ଭୁଲିଯାଇ
ରାମ ନାମକୁ ଗାଇଗାଇ।
ବୈଶାଖ ଶେଷେ ଜ୍ୟେଷ୍ଠ ଆସେ
ଆମ୍ବ ପଣସ ଘର ବାସେ।
ପ୍ରଚଣ୍ଡ ରୌଦ୍ର ସହ୍ୟ କରି
ନ ପାରି ପ୍ରଭୁ ନରହରି।
ଜ୍ୟେଷ୍ଠ ପୂର୍ଣ୍ଣିମା ଦେବସ୍ନାନ
ଜାଣି ଆସନ୍ତି ଭଗବାନ।
ସ୍ନାନ ମଣ୍ଡପେ ବିଜେକରି
ମହାଡ଼ମ୍ବରେ ସ୍ନାନକରି।
ଗଜଆନନ ବେଶଧରି
ଦର୍ଶନ ଦ୍ୟନ୍ତି ଚକ୍ରଧାରୀ।
ଜ୍ୱରେ ଆକ୍ରାନ୍ତ ଜନମତେ
ହୋଇ ଥାଆନ୍ତି ଏ ଜଗତେ।
ପନ୍ଦର ଦିନ ଅଣସରେ
ପୂଜା ପାଆନ୍ତି ଗୁପତରେ।
ପଥି ସେବନ ଯଥାବିଧି
କରି ଥାଆନ୍ତି ଦୟାନିଧି।
ସୁସ୍ଥ ହୋଇଣ କାଳକ୍ରମେ
ଲୀଳା ରଚନ୍ତି ମର୍ତ୍ତ୍ୟଧାମେ।
ବୈଚିତ୍ରମୟ ତାଙ୍କ ସୃଷ୍ଟି
ଭକ୍ତିରେ ମିଳେ ଦିବ୍ୟ ଦୃଷ୍ଟି।
ତାଙ୍କରି ଶକ୍ତି ବଳେ ମୁହିଁ
ରଚିଲି ଗ୍ରୀଷ୍ମ ୠତୁ ଭାଇ।
ଦୋଷ ନଧରି ଶୁଦ୍ଧି ଜନେ
କ୍ଷମା କରିବ କ୍ଷମା ଗୁଣେ।
ଏତିକରେ କରିଲି ଇତି
ଦୟା ରଖିଥିବ ଶ୍ରୀପତି।