STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଗରିବ

ଗରିବ

1 min
322


ଗରୀବର ସଂଜ୍ଞା କ'ଣ ?

କିଏ ବୁଝୁ କି ନ ବୁଝୁ

ମୁଁ କିନ୍ତୁ ଠିକ୍ ବୁଝିଛି ,

ବୁଝିଛି ମଧ୍ୟ ଗରୀବର

ଏକ ଅସଂଲଗ୍ନ ଅଙ୍କାବଙ୍କା ମାନଚିତ୍ର ,

ଦେଖିଛି ମୁଁ ଗରୀବର ରୂପରେଖ 

ପାଉଁଶିଆ ପଡିଯାଇଥିବା

କେଉଁ ଦିନରୁ ମୋ ଜେଜେବାପାଙ୍କର

ଦଦରା ଟିଣା ବାକ୍ସରେ ଥିବା  

ଗରୀବର ଏକ ବିବର୍ଣ୍ଣ ଛବି ,

ଦେଖିଛି ବୋଲି ତ ସନ୍ଧି କରିନେଇଛି ମୁଁ ମୋ

ଗରୀବିପଣିଆ ସହ କେଉଁ ଅତୀତ କାଳରୁ ।


ଯେତେ ଧୋଇଧାଇ 

ମାଜି ସଫା କଲେ ବି

ସେ ସେତେ ଅଧିକ ଝଲସି ଉଠୁଛି

ଯେତେ ରଙ୍ଗ ମାଖିଲେ ବି

ଗରୀବିର ଖାନଦାନି ଢାଂଚାରେ

ନା ଅଛି କିଛି ପରିବର୍ତ୍ତନ ବା ନୂତନତ୍ବ

ନା ମୁଁ ଶୁଣିଛି ତା'ର ଆକୁଳ ନିବେଦନ 

ନା ଅଛି କିଛି ଅଭିଯୋଗ ବା ଆବେଦନ ।


ଏ ଗରୀବିପଣିଆଟା ଯେମିତି

ଅସ୍ଥିମଜାଗତ କେଉଁ ଅୟୁତ ଦିନର

ଯୋଡିହୋଇ ରହିଛି ଯେ ରହିଛି

କେତେବେଳେ ହସୁଛି ତ ହାଃ...ହାଃ...

ପୁଣି କେତେବେଳେ କାନ୍ଦୁଛି ସୁଁ ...ସୁଁ ..

ମନ ଭରି ଯେମିତି କେବେ ବି

ଆଗରୁ କାନ୍ଦିନି ଏମିତି

ଛାତି କୁ ଦି ଫାଳ କରି  ।


ମଥା ଉପରେ ଥିବା ମଥାନଟା

ଆଜି କାହିଁକି ମୋତେ ଥଟ୍ଟାକରୁଛି,

ମୋ ଖଣ୍ଡିଆ ନୁଆଁଣିଆ ଚାଳରେ 

କେଉଁଦିନୁ ବସା ବାନ୍ଧି ରହୁଥିବା 

ବାୟାଚଢେଇ ବି ଆଜିକାଲି

ମୋତେ ଖତେଇ ହେଉଛି  

ଚାହିଁଛି ଏମିତି ଯେ,

ଯେମିତି ଚିହ୍ନିନି ମୋତେ 

ଆଗରୁ କେବେ ଯୁଗ ଯୁଗ ଧରି ।


ଆଉ ମୋ ଦାଣ୍ଡ ପିଣ୍ଡାରେ ଶୋଇ ରହି

ଜିଭ ଲହ ଲହ କରୁଥିବା କାଳିଆ 

କୁକୁରଟା ବି ବୋଲ ମାନୁନି ଜମା

କଥାକଥାକେ ଲାଂଜ ବୁଲାଉଛି,

ତାକୁ ଆଉ ରୁଚୁନି କଂସାଏ ବାସି ପେଜ ଓ

କେବେ କେବେ ଶୁଖିଲା ରୁଟି ଖଣ୍ଡେ ,

ସେ ବୋଧେ ବୁଝିଯାଇଛି ଗରୀବର ସଂଜ୍ଞା 

ଆଉ ଅଧିକ ତା'ର ବୁଝିବାକୁ ବାକି କିଛି ନାହିଁ  

ଶୁଣିବାକୁ ଇଚ୍ଛା ନାହଁ ତା'ର ଗରୀବର

ଅ....ଆ....କ.....ଖ....  , ଆବା

ଅନ୍ୟ କିଛି ଅଲୋଡା କାହାଣୀର 

ଶେଷହୀନ ଅବୁଝା ଇତିବୃତ୍ତ ।


Rate this content
Log in