STORYMIRROR

Niranjan Mishra

Others

4  

Niranjan Mishra

Others

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
210


ଗୃହଲକ୍ଷ୍ମୀ ବୋଲି ବୋଲନ୍ତି ଯାହାକୁ

ତାଙ୍କୁ ନ ଜାଣିଛି କିଏ

ଗୃହେ ଗୃହେ କରିଛନ୍ତି ସେ ନିବାସ

ଏକଥା ନ ଜାଣେ କିଏ ।


ପାଦଟି ଥାପିଲେ ଯେଉଁ ଦିନ ଗୃହେ

ହସି ଉଠିଲା ସେ ଗୃହ

ସର୍ବ ସୁଲକ୍ଷଣୀ ମଙ୍ଗଳକାରିଣୀ

ସଭିଙ୍କର ଅତି ପ୍ରିୟ ।


ସୁରୁଜ ଉଇଁବା ପୂରୁବୁ ପ୍ରଭାତୁ

ଗୃହର କରମ ସାରି

ସଭିଙ୍କର ସେବା କରିବା ଧରମ

ଆପଣେ ନେଇଛି ବରି ।


ଶାଶୁ ଶଶୁର ପତିଙ୍କର ସେବାଟି

ଜୀବନ ବ୍ରତ ତାହାର

ନିଜ ପିଲାଙ୍କର ଯତନ କରଇ

ଜୀବନ ଦେଇ ନିଜର ।


ସଦା ସରବଦା ଧ୍ୟାନ ରଖିଥାଏ

ନିଜ ଗୃହ ପରିମଳେ

ଅତିଥିଙ୍କ ସେବା କରିବା ପାଇଁକି

ପାଦ ତା ନ ପଡେ ତଳେ ।


ଲକ୍ଷ୍ମୀଙ୍କ ରାନ୍ଧଣା ଅତୀବ ସୁସ୍ୱାଦ

କିଏ ଅବା ନ ଜାଣିଛି

ଗୃହଲକ୍ଷ୍ମୀଙ୍କର ରାନ୍ଧଣାର ସ୍ବାଦ

ବାଛିବାକୁ ନାହିଁ କିଛି ।


ବିଷ୍ଣୁ ବକ୍ଷସ୍ଥଳେ ଲକ୍ଷ୍ମୀଙ୍କ ନିବାସ

ଲକ୍ଷ୍ମୀ ବିଳସନ୍ତି ନିଜେ

ପ୍ରତି ଗୃହେ ଦେଖ ଗୃହଲକ୍ଷ୍ମୀମାନେ

କିପରି ଅଛନ୍ତି ବିଜେ ।


ଘରେ ଘରେ ଗୃହଲକ୍ଷ୍ମୀଙ୍କ ଆଦର

ସମ୍ମାନ ଯଦି ହୋଇବ

ଗୃହଲକ୍ଷ୍ମୀ ନିଶ୍ଚେ ସନ୍ତୋଷ ହୋଇବେ

ଘରର ମାନ ବଢିବ ।


ଗୃହଲକ୍ଷ୍ମୀ ନିଜେ ସନ୍ତୋଷ ହୋଇଲେ

ହୁଅନ୍ତି ବରଦାୟିନୀ

ଗୃହସ୍ଥର ଗୃହ ହୁଏ ଶ୍ରୀମନ୍ଦିର

ଗୃହଲକ୍ଷ୍ମୀ ବିଳାସିନୀ ।


Rate this content
Log in