ଗୀତି କାବ୍ୟ - ସୁନାବେଶ
ଗୀତି କାବ୍ୟ - ସୁନାବେଶ
ହେବ ଆଜି ମୋର କାଳିଆ ସାଆନ୍ତ
ଅପରୂପ ସୁନା ବେଶ,
ଭକତଙ୍କ ମନ ହରଷ ବରଷେ
ଦର୍ଶନେ ଏ ମହା ବେଶ।
ସରିଯିବ ଭାଇ କାଳିଆ ରାଜାର
ମହାମହିମ ଯାତରା,
ରାତି ପାହିଗଲେ ମନୁଆ ଠାକୁର
ଦେଉଳକୁ ଯିବେ ପରା।
କଳା ସାଆନ୍ତଙ୍କ କାଳ କାଳ ରୀତି
ଜଗତେ ଅଟଇ ସାର,
ପ୍ରୀତିର ଭାବରେ ଗୁନ୍ଥି ହୋଇଥାନ୍ତି
ମୋହନ ମୁରଲୀଧର।
ଭକତଙ୍କ ମେଳେ ସାନ୍ଧ୍ୟ କର୍ମ ସାରି
ହେଉଥାନ୍ତି ସୁନା ବେଶ,
ଭକତ ମନର ଭାବ ବିନୋଦିଆ
ଭାବ ପୁରାନ୍ତି ଅବଶ୍ୟ।
ରାତି ଅଧ ଟାରେ ଅଧରପଣାର
ନୀତି ନିୟମ କୁ ସାରି,
ଦେଉଳ ମୁଖକୁ ଆଗଭରେ ଯା''ନ୍ତି
କମଳ ଲୋଚନ ହରି।
ଆଗଭରେ ଯା'ନ୍ତେ ସାଗର ନନ୍ଦିନୀ
ସରାଗେ କହନ୍ତି ଧିରେ,
କାହିଁ ଆସୁଅଛ ବଡ ଦେଉଳକୁ
କିବା ପ୍ରୟୋଜନ ମୋରେ।
ଯାଇଥିଲ ପରା ମାଉସୀ ମା ଘରେ
ସୁଖେ ରହିଥିଲ ସେଠି,
ଏବେ କି ସାଥିରେ ଭାଇ ଭଉଣୀଙ୍କୁ
ଆଣିଛ ଦେବାକୁ ଭେଟି।
ରଙ୍ଗ ରସେ ମାତି ସୁଖେ ରହିଥିଲ
ଭକ୍ତ ଅନ୍ତରଙ୍ଗେ ଖେଳି,
ତୁଛା କୁ କାହିଁକି ଚାତର ଦେଖାଅ
ଅନ୍ତରେ ଗଲି ମୁଁ ଭୁଲି।
ସଙ୍ଗତରେ ନେଲ ଭାଇ ଭଗିନୀକୁ
ମୋତେ ନ ଚାହିଁଲ ଥରେ,
କହନ୍ତି ଠାକୁର ଜଗତ ମାତାଙ୍କୁ
ସେନେହ ପୀରତି ଭରେ।
ଅଝଟି କାହିଁକି ଅଭିମାନ କର
ଏତେ ରାଗ ରୁଷା ବହି,
ଗୋବିନ୍ଦ ବୋଲନ୍ତି ସିନ୍ଧୁଙ୍କ ନନ୍ଦିନୀ
ବିନ୍ଦୁଏ ମୋ ଦୋଷ ନାହିଁ।
ଏ ଛାର କଥାରେ ଛଳନା ନ କର
ଛଳ ବହି କମଳିନୀ,
କଥା ଦେଇଥିଲି ଇନ୍ଦ୍ରଦ୍ୟୁମ୍ନ ପାଶେ
ହୋଇ ତା ଭକ୍ତିରେ ଋଣୀ।
ଶୂନ୍ୟ ଆଶା ନେଇ ଭାବେ ଥିଲା କହି
ଭକତି ଅନ୍ତରେ ମୋତେ,
ଏତିକି ମିନତି ଗୁଣ୍ଡିଚା ରାଣୀଙ୍କୁ
କେବେ ନ ଭୁଲିବ ଚିତ୍ତେ।
ଦେଇଥିଲି କଥା ପଦିଏ ତାହାକୁ
ଜାଣି ତାର ଅନ୍ତଃ ମନ,
ରଚିବି ମୁଁ ଲୀଳା ଗୁଣ୍ଡିଚା ରାଣୀର
ଜୀବନ କରିବି ଧନ୍ୟ।
ବରଷକୁ ଥରେ ବିଜେ କରୁଥିବି
ଭକତ ଗହଣେ ରଥେ,
ପହଞ୍ଚିବି ଯାଇ ଗୁଣ୍ଡିଚା ମନ୍ଦିର
ଭାଇ ଭଉଣୀଙ୍କ ସାଥେ।
ରହି ନଅଦିନ ଫେରି ମୁଁ ଆସିବି
ଦଶମୀ ରାନ୍ଧଣା ଖାଇ,
ଗୁଣ୍ଡିଚା ଯାତରେ ଧନ୍ୟ କରାଇବି
ମା'ର ମମତା ଦେଇ।
ବାହୁଡ଼ିବା ଦିନ ମୋ ବାହୁଡ଼ା ଯାତେ
ଯିବି ଶ୍ରୀ ମନ୍ଦିରେ ପୁଣି,
ଜଗତର ଲୀଳା ସେତେବେଳେ ମୋର
ଦେଖିବେ ଗୁଣ୍ଡିଚା ରାଣୀ।
ସରିଲା ଯାତରା ଆସିଅଛି ଫେରି
ମନରୁ ତେଜ ଗୁମାନ,
ଏତିକି କଥା ମୁଁ ଦେଇଛି ରାଜାଙ୍କୁ
ନୁହଁ ତୁମେ ଆନମନ।
ତାହାରି ଭାବରେ ମର୍ତ୍ତ୍ୟରେ ରଚିଲେ
ଆମ୍ଭେ ଏ ଚକ୍ର ବୈକୁଣ୍ଠ,
ଯୁଗଯୁଗ ଧରି ଉତ୍କଳ କୀରତି
ରହିଥିବ ଏ ଭୂଖଣ୍ଡ।
ମଉଡମଣି ସେ ଗଜପତି ନାମେ
ହୋଇବେ ତା ବଂଶ ରାଜା,
ଏ ଚକ୍ରତୀର୍ଥ ର ମର୍ତ୍ତ୍ୟ ବୈକୁଣ୍ଠ ର
ଉଡାଇବେ ନିଶ୍ଚେ ଧ୍ଵଜା।
ରଖିଗଲା ସିନା ଏତେକ କୀରତି
ଲୋଭ ଶୂନ୍ୟ ଭାବ ନେଇ,
ନିର୍ଲିପ୍ତ ହୋଇଲା ବୈକୁଣ୍ଠ ଲୋକରେ
ଆଉ ତାର ଜନ୍ମ ନାହିଁ।
ତାହାରି ଭକ୍ତିରେ ଆମ୍ଭେ ଦ୍ଵାର ଦେଶେ
ମନରେ ରଖିଲେ ମାନ,
ବଡ ଦେଉଳେ କି ବଡ଼ ପ୍ରଭୂ ପଣେ
ବଡଦାଣ୍ଡେ ହେବା ଧନ୍ୟ।
ଶୁଣି କମଳିନୀ ନିରୁତ୍ତର ପୁଣି
ଦ୍ବାର ରୁ ଗଲେ ବହନ,
ପ୍ରଭାତ ହୁଅନ୍ତେ ପ୍ରଭୁ ଜଗନ୍ନାଥେ
ବସି ରତ୍ନ ସିଂହାସନ।
ଧନ୍ୟ ଜଗନ୍ନାଥ ତୁମ ଏହି ଲୀଳା
ରହିଥାଉ କାଳ କାଳ,
କାଳ କବଳିତ କଳିର ସଂସାରୁ
ନିରକ୍ଷଙ୍କୁ ରକ୍ଷା କର।
ଭବ ଜଳଧି ରେ ଭାସୁଛି ଅଭାବେ
ଭାବିବାକୁ ବେଳ କାହିଁ,
ଭାବର ଭାବରେ ଭବ ସାଗରର
ଭବୁ ତାର ଭାବଗ୍ରାହୀ।
**************************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129
