ଘର
ଘର
ଇଟା ଓ ପଥର ସିମେଣ୍ଟ, ଛଡ଼ରେ
ହୋଇଅଛି ମୁଁ ଠିଆ
କେତେ ରୂପ ମୋର ଛାତ, ଚାଳ ପୁଣି
ଆଜବେଷ୍ଟସ୍ ମୋ ନାଁ ।
ବାପା ମାଆ ଭାଇ ଭଉଣୀକୁ ନେଇ
ଗଢ଼ା ଯେଉଁ ପରିବାର
ମୋ'ବକ୍ଷରେ ସ୍ଥାନ ଦେଇଛି ଆନନ୍ଦେ
ମାନ ରଖି ସମ୍ପର୍କର ।
ନିଦାଘ କାଳର ସୂରୁଜ ଉତ୍ତାପ
ସହିଯାଏ ନୀରବରେ
ଆଶ୍ରିତ ମାନଙ୍କୁ ଖରାର ଦାଉରୁ
ହସି ହସି ରକ୍ଷା କରେ ।
ଶୀତ ହେମାଳର ଦେହଥରା ଜାଡ
ମୋ ଦେହକୁ ଭେଦ କରି
ଶାନ୍ତି ନିଦ୍ରା କେବେ ଭାଙ୍ଗିପାରେ ନାହିଁ
ଶୋଇଥାନ୍ତି ଶେଯ ପାରି ।
ବରଷା, ପବନ,ବିଜୁଳି ବେଗରୁ
ରକ୍ଷା କରି ଶାନ୍ତି ପାଏ
ମୋର ବିନା ଏଇ ସଂସାରେ ବଞ୍ଚିବା
ସହଜ କି କୁହ କିଏ ?
ଭୟଙ୍କର ହିଂସ୍ର ଜୀବଙ୍କ ଦାଉରୁ
ରକ୍ଷା କରିଥାଏ ବୋଲି
ନିର୍ଭୟରେ ରାତ୍ରି କଟୁଛି ତୁମର
ଯିବନାହିଁ କେବେ ଭୁଲି ।
ଜନମ କାଳରୁ ଶେଷ ନିଃଶ୍ୱାସରେ
ସାହାରା ଦେଉଛି ଦେବି
ପୁରୁଣା ହେଉ ବା ହୁଏ ବା ନୂତନ
ସଭିଙ୍କୁ କୋଳେଇ ନେବି ।
