ଘର ମୋ ହେବ ସରଗ
ଘର ମୋ ହେବ ସରଗ
1 min
278
ଝାଟି ମାଟିର ଏ କୁଡ଼ିଆ ଖଣ୍ଡକ
ମୋ ପାଇଁ ସରଗ ପୁରୀ
ବାପା, ମାଆ, କାକା, ଭାଇ, ଭଉଣୀ ରେ
ଘର ମୋ ଉଠିଛି ପୂରି l
ଖରା, ବର୍ଷା, ଶୀତ, କାକର ସହିଛି
ଗଛ ତା'ର ଚାରିପାଖେ
ଝଡ଼ ବତାସକୁ ନ କରି ଖାତିରି
ଆମକୁ ରଖିଛି ସୁଖେ l
ଘର ଅଗଣାର ଟଗର, ମନ୍ଦାର,
ସେବତୀ, କାମିନୀ, ଯୁଇ
ହସି ହସି ମୋତେ ଡାକନ୍ତି ପାଖକୁ
ଆମ ଘରେ ପୂଜା ପାଇଁ l
ସକାଳ ପାହିଲେ ଘର ମଥାନରେ
କୂଆ ରାବେ କାଆ କାଆ
ସଞ୍ଜ ନଇଁଗଲେ ଜାଳି ସଞ୍ଜବତୀ
ଶୁଭ ମନାସନ୍ତି ମାଆ l
ସଫା ସୁତୁରା ମୁଁ ରଖିବି ତାହାକୁ
ସଜାଇ ସବୁ ଦରବ
ମୋ ହାତ ପରଶେ ଝଲସି ଉଠିବ
ଘର ମୋ ହେବ ସରଗ l
