ଘୋଷଯାତ୍ରା
ଘୋଷଯାତ୍ରା
ଭିଡ଼ ତ ଲାଗିଛି ବଡ ଦାଣ୍ଡରେ
ଝୁଲି ଝୁଲି ଜଗା ଆସଇ ଧୀରେ ||
ଜଗତ ମାତାଙ୍କୁ ଦୂରେଇ ଦେଇ
ଭାଇ ଭଉଣୀଙ୍କୁ ସାଥିରେ ନେଇ ||
ଘୋଷା ଯାତ୍ରା ପାଇଁ ରହିଛି ରଥ
ବଡ଼ ଦାଣ୍ଡେ ବିଜେ ଜଗତ ନାଥ ||
ଭକତଙ୍କୁ ତାର ଦେଖିବା ପାଇଁ
ଗମ୍ଭୀରରେ ମନ ଲାଗଇ ନାହିଁ ||
ବିନା ଭକ୍ତେ ଆଜି ତାହାରି ଯାତ
ମନଟା ତାହାରି ଲାଗେ ଅଶାନ୍ତ ||
ଭକ୍ତ ସାଲବେଗ ଦାସିଆ ପାଇଁ
ନ ଗଡ଼ିଲା ରଥ ଜଗା ଗୋସେଇଁ ||
କରୋନା ଭୟରେ ସଭିଏଁ ଡରି
ଲଗେଇଲୁନି ତୁ କାହାରି ଡୋରି ||
ଗୁଣ୍ଡିଚା ରାଣୀଙ୍କୁ ଦେଇଛୁ କଥା
ବରଷକେ ଥର ଭାଳେ ତୋ ମଥା ||
ମାଉସୀ ମାଆର ପୋଡ଼ ପିଠାକୁ
ଭୁଲି ପାରୁ ନାହିଁ ଯାଉ ସେଠାକୁ ||
ଭାବ ବିନୋଦିଆ ଠାକୁର ମୋର
ଭାବରେ ବାଂଧିବୁ ମନକୁ ମୋର ||
ଯାଇ ପାରୁନାହିଁ ଯାତକୁ ତୋର
ଆର ବରଷକୁ ଅପେକ୍ଷା କର ||
ଦୂରରୁ ଥାଇ କରେ ପ୍ରଣିପାତ
ନାଶିବୁ ଦୁଃଖରେ କଳା ସାଆନ୍ତ ||