ଘଡିଏ ଜୀବନ
ଘଡିଏ ଜୀବନ
ରାତ୍ରିର ନିଷିଦ୍ଧ ପ୍ରହରରେ
କେବେ କେବେ
ଅବଦମିତ ଇଚ୍ଛାମାନେ
ଭିଡି ମୋଡି ହୋଇ କଡ ଲେଉଟାନ୍ତି ।
ସୁଷୁପ୍ତି ର ଗଭୀର ଭଉଁରୀ ତେଜି
ମନ ଫୁର୍ କିନା ଉଡି ଯାଏ
ଅନୁଢା କିଶୋରୀ ଟିଏ ଭଳି
ରଂଗୀନ ପ୍ରଜାପତି ପଛେ ପଛେ
ଚିତ୍ରିତ ଦୁଇ ଡେଣା ମେଲି
ଫୁଲର ସହର ଭିତରେ ହଜିଯାଏ
ବାଷ୍ପରୁଦ୍ଧ ଜୀବନର ଜଡତା ।
ବିସ୍ମୃତ ହୁଏ ସମାଜରନାଲି ଆଖି,
ବାଟ ଓଗାଳି ଥିବା ସମସ୍ତ ବାଧା ବନ୍ଧନ
ବୟସ ର ଲଗାମ ଟା ଭିଡି ହୋଇ
ଛିଣ୍ଡି ଯାଏ ଆପେ ଆପେ ଖଣ୍ଡ ଖଣ୍ଡ ହୋଇ
ଈଶାରା ଦିଏ ଚୋରେଇ ନେବାକୁ
ନିଜ ପାଇଁ କେତୋଟି ପ୍ରାଣୋଚ୍ଛଳ ମୁହୂର୍ତ୍ତ ।
ଜହ୍ନ ରାଇଜରେ ତାରା ମାନଙ୍କ ମେଳାରେ
ଖେଳିବାକୁ ଲୁଚକାଳି ଖେଳ
କିଛି ଅନ୍ଧାର ଆଉ କିଛି ଆଲୁଅ ର ,
ଫିଙ୍ଗି ଦେଇ ସବୁ କଟକଣା ର
ଦଦରା ଶିଉଳୀ ଲଗା ପ୍ରାଚୀର
କାଟିଦେଇ ଆକ୍ତାମାକ୍ତା କରି ପକାଉଥିବା
ଯେତେ ସବୁ ସଂପର୍କ ର ଶିକୁଳି କୁ
ବାୟୁ ସମ ବିସ୍ତାରିତ ହୋଇ ଯିବାକୁ
ଭୂମି ରୁ ଭୂମା ପର୍ଯ୍ୟନ୍ତ ସପନ ସାଥୀରେ
ଭୋଗି ନେବାକୁ ଇପ୍ ସିତ ସେଇ ମୁହୂର୍ତ୍ତ ମାନଙ୍କୁ
ସ୍ବେଚ୍ଛା ରେ , ବିନା ପ୍ରତିବାଦରେ , ନିର୍ଭୟ ରେ
ଜୀବନ ର ସମସ୍ତ ଆବେଗ ,ସମସ୍ତ ଅନୁଭବ ସହ
ହାରିଥିବା ପ୍ରେମ କୁ ଆବକ୍ଷ କରିନେବାକୁ
ଠିକ୍ ଭୁଲ୍ ,ପାପ ପୁଣ୍ୟର ହିସାବ ନକରି
ଜିଇଁ ଯିବାକୁ ମନଭରି ଆପଣା ଇଚ୍ଛା ରେ
ଶେଫାଳି ଫୁଲଟି ପରି ଘଡିଏ ଜୀବନ ।।
