STORYMIRROR

ratnakar singha

Others

3  

ratnakar singha

Others

ଏତେଦିନ ବିତିଗଲା ପରେ

ଏତେଦିନ ବିତିଗଲା ପରେ

1 min
177


ଏତେଦିନ ବିତିଗଲା ପରେ

ଆଉଥରେ ଭେଟିବାର ଇଛା ନାହିଁ

ମହାନଦୀର କେତେ ପାଣି 

ସ୍ୱଚ୍ଛଧାରେ ବୋହିଗଲାପରେ

ସେ ବେଳର ଉଜାଣି ସ୍ରୋତରେ 

ଡୁବିବାକୁ ଆଉ ଜମାରୁ ଇଛା ନାହିଁ ।

ମୋ ଅନୁରୋଧ ଯଦି ମାନିବ

ଆଉ ଜମାରୁ ଖବର 

ପଠାଇଵ ନାହିଁ

ତୁମର ଭଲ ମନ୍ଦ ଖବର

ସଂଗ୍ରହ କରିବାର ସ୍ପୃହା

ମୋର ତିଳେହେଲେ ନାହିଁ ।

ତିଳ ତର୍ପଣର ବେଦନା କୋହରେ

ସାନ୍ତ୍ୱନାର ମଲମ ବୋଳିବାରେ

ତାର ଆଉ ମାନେ କିଛି ନାହିଁ ।

ଆଉଜମା ସ୍ମୃତିକୁ ଆଣିବନି

ଅଦିନର ମେଘ ପ୍ରସଙ୍ଗକୁ

ଅନିଦ୍ରାର ପ୍ରେମଛାଇ ଦେଖି

ଦୁଃସ୍ବପ୍ନକୁ ସାଥିଟିଏ କରିବନି

ମୋ କଥା ମାନିବଯଦି                 

ଚୋରାବାଲିର ଅତଡାରେ ବସି

ମୋତେ ଆଉ ଦହଗଞ୍ଜ କରିବନି ।

ଚଷାମାର ଘଷରା କାଚରେ

ପାଂଡୋରାର ପେଡି ଖୋଲିବନି

ବାଚାଳାମି ବୟସ ଜୁଆରରେ

ଗୋଲାପୀ ଭ୍ରମରର ଗୁଣୁଗୁଣୁ ଗୀତ

ଶୁଣିବାକୁ ମନ ବଳାଇବନି

ଏତେଦିନ ବିତିଗଲା ପରେ

ମୋତେ ଭେଟିବାକୁ

ମୋଟେ ଜିଦ କରିବନି।

ଆଜିବି ରଫ ଖାତାରେ

ତୁମ ସବୁଜ କାଳିର ହସ୍ତାକ୍ଷର

ଦାଉଦାଉହୋଇ ଜଳୁଛି

ଭିଜା ତକିଆର କରୁଣ ଗୁହାରି

ଏଡିବାକୁ ଚେଷ୍ଟା କରିଛି

ଏତେଦିନବିତିଗଲା ପରେ

ତୁମକୁ ଭେଟିବାର ହାର ମାନିଛି ।

ଚିହ୍ନା ଅଚିହ୍ନାର ଅଯୁଗ୍ମ ସଂଖ୍ୟାରୁ

ଅଯୁଗ୍ମ ଏକକୁ ବାଛିଚି

ଯୁଗ୍ମ ସପନର ମାୟାମିରିଗକୁ

ଚିତ୍ତତଳୁ ପୋଛି ଦେଇଛି ।

କି ସୁଖ ଯେ ଅଛି ସେ ସୁଖ ମୁଁ ଦେବି

ଝରାବଉଳର ଛାଇ

ଦୂରବସନ୍ତର କସ୍ତୁରୀ ମୋହରେ

ବାଟବଣା ହେବି ନାହିଁ ।

ରକ୍ତରେ ମାଂସରେ ମୋର ଶିଥିଳତା

କପାଳରେ ଧାର ଗାର

ଧୁକୁଡ଼ା ଚମରେ ଶୀତଳ ପରଶ

ଶରଣେ ମୁଁ ପରଂବ୍ରହ୍ମ

ଏତେଦିନ ଧରି ବିଦେହ ପୁରରେ

ବିଧୃତ ଆତ୍ମାକୁ ପୂଜି

କୁହ ତୁମେ ନିଜେ ଏତେଦିନ ପରେ

କାହିଁକି ଭାବିବି ବସି ।



Rate this content
Log in