ଏମିତି ସୁପରହିରୋ
ଏମିତି ସୁପରହିରୋ
ଏମିତି ସୁପରହିରୋ ଦେଖ ନୟନ
ଟାଙ୍ଗିଆ ଧରି ଥରାଏ ବିଶ୍ୱ ଭୁବନ |
ହାତୀନାହିଁ ଘୋଡାନାହିଁ ନାହିଁ ବାହନ
ରଥ ନାହିଁ ବର୍ମ ନାହିଁ ଏକା ଗମନ |
ଚକ୍ରବର୍ତ୍ତୀ ନରପତି କ୍ଷତ୍ରି ଦୁର୍ଜନ
ଲକ୍ଷ ଲକ୍ଷ ମେଳି ହୋଇ କରନ୍ତି ରଣ |
ଛାଗ ପଲେ ବାଘ ପରି ଦିଶେ ଶୋଭନ
ପିପୀଲିକା ସମ କରେ ଅରି ମର୍ଦ୍ଦନ |
ଏକା ହସ୍ତୀ ରଥୀ କ୍ଷତ୍ରି କରେ ନିଧନ
ପର୍ଶୁ ଧନୁ ଗଦା ଖଡ୍ଗ କରେ ଧାରଣ |
ସସ୍ରବାହୁ କାର୍ତ୍ତବୀର୍ଯ୍ୟ ସହସ୍ରାର୍ଜୁନ
ଦତ୍ତାତ୍ତେୟ ବଳେ ଜିଣି ତିନିଭୁବନ |
ପିତା ଯମଦଗ୍ନିଙ୍କୁ ସେ କରୁ ନିଧନ
କ୍ଷତ୍ରି ନିସୂଦନ ପାଇଁ ବଳିଲା ମନ |
ପିତୃ ହତ୍ୟା ପ୍ରତିଶୋଧ ନେଲେ ଵହନ
କାର୍ତ୍ତବୀର୍ଯ୍ୟ ସସ୍ର ବାହୁ କଲେ ଛେଦନ |
କୁକ୍ଷତ୍ରି ରକତେ ଧରା କଲେ ପ୍ଲାବନ
ଏକବିଂଶ ବାର ଭ୍ରମି ବିଶ୍ୱ ଭୁବନ |
ନାମ ଶୁଣୁ ଯୋଦ୍ଧାଙ୍କର ମୂର୍ଦ୍ଧାପାତନ
ଦଶରଥ ଲୁଚିଥିଲେ ନାରୀ ଗହଣ |
ଗଣେଶଙ୍କ ଏକଦନ୍ତ କଲେ କର୍ତ୍ତନ
ଭାର୍ଗବ ପରଶୁରାମ ବୀର ବନ୍ଦନ |
ବିଷ୍ଣୁ ଷଷ୍ଠ ଅବତାର ଡରେ ଶମନ
ଗୁରୁ ଶ୍ରେଷ୍ଠ ଅଦ୍ଵିତୀୟ କୋଟି ନମନ |
ଭୀଷ୍ମ ଦ୍ରୋଣ କର୍ଣ୍ଣ ପରି ଶିଷ୍ୟ ଉତ୍ପନ୍ନ
ରାମେ କୃଷ୍ଣେ କଲେ ଧନୁ ଚକ୍ର ଅର୍ପଣ |
ଚିର ଅମର ଯତୀନ୍ଦ୍ରପାଦେ ଶରଣ
ସୁପର ହିରୋ ଚରିତ ପାପ ନାଶନ |
