STORYMIRROR

Kali Kumar

Others

3  

Kali Kumar

Others

ଏକ ତରଫା ପ୍ରୀତି

ଏକ ତରଫା ପ୍ରୀତି

1 min
406

ଅଧା ଲେଖା ଚିଠି   ସାଇତି ରଖିଛି

     ତୁମକୁ ଯେ ଦେବା ପାଇଁ,

କିପରି ମୁଁ ଦେବି   ପ୍ରେମର ଚିଠିକୁ

     ସାହସ ଟିକକ ନାହିଁ ।୧।

ପ୍ରେମର ପ୍ରସ୍ତାବ   ଚିଠିରେ ଲେଖୁଛି

     ରାତି ସାରା ଚେଇଁ ଚେଇଁ,

କେମିତି ବର୍ଣ୍ଣିବି    ରୂପକୁ ତୁମ୍ଭର

     ଶବ୍ଦ ଜମା ପାଏ ନାହିଁ ।୨।

ରାତି ସରିଯାଏ     ଜହ୍ନ ମରିଯାଏ

      କଥା ରହିଯାଏ ଅଧା,

ଲେଖିବି ଲେଖିବି  ଲେଖି ପାରେ ନାହିଁ

     ମନ ତଳେ ନାନା ଦ୍ବିଧା ।୩।

ରୂପରେ ତୁମର    ଲାବଣ୍ୟ ଝରଇ

     ଓଠ ତଳେ ମହୁ ବସା,

ମୁଖରେ ତୁମର    ଚନ୍ଦ୍ରମା ହସଇ

     ଆଖିରେ କୁହୁକ ନିଶା ।୪।

ଭାବନା ତୁମର    ନିର୍ଝରିଣୀ ଭାନ୍ତି 

     ଅଟେ ଜୀବନ୍ତ ଜାଗ୍ରତ,

ପ୍ରେମଟି ତୁମର    ପାରାବାର ପରି

     ଅଟେ ଅସୀମ ଅନନ୍ତ ।୫।

କେତେ ଥର ଭାଳେ  କହିବି କହିବି 

     କିଛି କହି ପାରେ ନାହିଁ,

ମନ କଥା ସବୁ    ମନେ ରହିଯାଏ

     ଇତି ଲେଖିଦିଏ ମୁହିଁ ।୬। 

ଇତି ଲେଖୁ ଲେଖୁ    ସ୍ମୃତି ହୋଇ ଯାଏ

     ଅଧା ରହେ ସେହି ଚିଠି,

ଯେତେ ଚେଷ୍ଟା କଲେ   ଅନ୍ତ ହୁଏ ନାହିଁ

     ଏକ ତରଫା ଏ ପ୍ରୀତି ।୭।

ଏକ ତରଫା ଏ    ପ୍ରୀତିର ପଛରେ

      ଯାଉଛି ବୟସ ବିତି,

ପ୍ରେମର ସାଗରେ   ଅନ୍ୱେଷଣ କରେ

    ମିଳିବ କି ସତେ ମୋତି ! ।୮।

ଅନ୍ୱେଷଣ ମୋର   ଅନ୍ୱେଷଣେ ରହେ

     ଅଧା ରହିଯାଏ ଚିଠି,

ଯେତେ ଚେଷ୍ଟା କଲେ   ଅନ୍ତ ହୁଏ ନାହିଁ

     ଏକ ତରଫା ଏ ପ୍ରୀତି ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍