ଏକ ଶୀତୁଆ ସକାଳ
ଏକ ଶୀତୁଆ ସକାଳ
ଶୀତୁଆ ସକାଳ ଘନ କୁହିଡିଟା
ଚାରିଆଡେ ଅଛି ଛାଇ,
ପୂରୁବ ଦିଗରୁ ସୂରୁଜ କିରଣ
ଟିକିଏ ବି ପଡୁନାହିଁ ॥
ଉତ୍ତର ଦିଗରୁ ଶୀତୁଆ ପବନ
ବହେ ସୁଲୁ ସୁଲୁ ହୋଇ
ଥରିଯାଏ ଦେହ ବସନ୍ତି ସରବେ
ଚଦର ଘୋଡେଇ ହୋଇ ॥
ବାଡିପଟ ଆମ୍ବଗଛ ମୂଳେ ଯହିଁ
ପଡେ ସକାଳୁଆ ଖରା,
ସାଇପିଲା ସବୁ ମେଳି ହୋଇ ତହିଁ
କରନ୍ତି କେତେ ନଖରା ॥
ଶୁଖିଲା ପତର କାଠି କୁଟା ସବୁ
ଗୋଟେଇ ଗାଟେଇ ଆଣି,
ନିଆଁ ପୁଇଁବାକୁ ଘେରିହୋଇ ବସି
ଲଗାନ୍ତି ସେଠାରେ ଧୁନି ॥
ଚାଷୀଭାଇ ତାର କରେନି ଖାତର
ଖରା କି ଶୀତ , କାକର
ଦାଆ ଖଣ୍ଡେ ଧରି ଧାନ କାଟିବାକୁ
ଯାଏ ହୋଇ ତରତର ॥
ବୋହୂ ଭୁଆସୁଣୀ ଶୀତକୁ ନମାନି
ସକାଳୁ ନକରି ମଠ
ବାସିକାମ ସାରି ଯାଆନ୍ତି ବାହାରି
ସଅଳ ଗାଧୁଆ ତୁଠ
ଶୀତେ ଥର ଥର ବୁଢା ବୁଢୀଙ୍କର
ଏଦିନେ ବହୁତ କଷ୍ଟ
ଯେ ନପାରେ ସହି ଆତ୍ମାପକ୍ଷୀ ତା'ର
ଉଡିଯାଏ ଛାଡି ଘଟ ॥
କୁହୁଡି ହଟଇ ଖରା ଚହଟଇ
ଆକାଶେ ଦିଶେ ସୂରୁଜ
ଯେ ଯାହା କାମରେ ଯିବା ପାଇଁ
ଉଠି ବାହାରନ୍ତି ହୋଇ ସଜ ॥
********
