ଏଇଟି ମୋର ବହି
ଏଇଟି ମୋର ବହି
ଏଇଟି ମୋର ବହି
ରଙ୍ଗ ରଙ୍ଗିଆ ମଲାଟ ତାର
ନିଏ ମୋ ମନ ମୋହି ।
ଏଇ ବହିରୁ ପଢ଼େ ମୁଁ ପାଠ
ଏ ବହି ମୋତେ ଦେଖାଏ ବାଟ
ଅକ୍ଷର ଶିଖେ ଅକ୍ଷର ଲେଖେ
ଛବିକୁ ଦେଖି ମୁହିଁ ।
ବହିରେ ମୋର ବଡ଼ ସରାଗ
ଲଗାଏ ନାହିଁ ମଇଳା ଦାଗ
କଭର ଦେଇ ରଖାଇ ମୁହିଁ
ଯେସନେ ନୂଆ ରହି ।
ଅବନା ପଢ଼େ ବନାନ ପଢ଼େ
ଖେଳନା ଗଢ଼େ ଛବି ସଜାଡ଼େ
ଶିଖଇ କଥା ହୁଏ ବକତା
ଉତ୍ତର ଦିଏ କହି ।
ଆଗ ଶ୍ରଵଣ ପରେ ପଠନ
ଲିଖନ ପରେ ପରିମାର୍ଜନ
ପ୍ରଶ୍ନ ଉତ୍ତର ହୋଇଲେ ସ୍ଥିର
ଖୋଜେ ମୁଁ ଆନ ବହି ।
ବହି ଆମର ଜ୍ଞାନ ଭଣ୍ଡାର
ସବୁ ସାଇତା ଗର୍ଭେ ତାହାର
ଗଣିତ ଇତିହାସ ଭୂଗୋଳ
ବିଜ୍ଞାନ ସାହିତ୍ୟ ହିଁ ।
ଧର୍ମ ପୁସ୍ତକ ଶ୍ରୀଭାଗବତ
ରାମାୟଣକୁ ମହାଭାରତ
ଗୀତିନାଟକ ସଂଗୀତ ଗୀତ
ମନକୁ ଯାଏ ଛୁଇଁ ।
ଯେତେ ପଢ଼ିଵ ସେତେ ଜାଣିବ
ପଣ୍ଡିତ ପଣେ ଗଣା ହୋଇବ
ଶିକ୍ଷିତ ହେବ ମଣିଷ ହେବ
ବହିଠୁଁ ବନ୍ଧୁ ନାହିଁ ।
ପର ଆପଣା ନାହିଁ ତାହାର
ସଭିଙ୍କୁ କରେ ସମ ଆଦର
ବହି ଆମର ଅଟେ ନୟନ
ଅମୂଲ୍ୟ ଧନ କହି ।