ଏଇଠି ସକାଳ
ଏଇଠି ସକାଳ
ସଂଜଠୁ ପାଟିରେ କିଛି ଦେଇନି ସାରି
ଦରଫୁଟା ଭାତ ଦିଇଟା ଦେଇଥିଲା
ଛୁଆ ମୁହଁରେ ଖରାବେଳେ
ବେଲବୁଡ଼କୁ ରତ୍ନା ଘରୁ ବାହାରିଗଲା ଯେ ଆଇଲା
ରାତିଘଡିକରେ।
ମୁହଁରୁ ଏମିତି ବାସ୍ନା ହଉଥିଲା
ସତେକି ଘୋରିହୋଇଯିବ ଦେହ ଆଉ ମନ
ହାଣ୍ଡିରେ ଭାତ ଫୁଟିଛି କି ନାହିଁ ଜାଣିବା ଆଗରୁ
ବସିଗଲା ଖାଇବାକୁ ।।
ୟିଏଡେ କଣ ବାଢ଼ିଦେବ ଭାଳି ହଉଛି ସାରି
ସେନତେରା ମୁଢି ମୁଠେ କଉଠୁ ପାଇ ବସେଇଲା ରତ୍ନା ସାମ୍ନାରେ ଯେ
ଉଠିଆସି ଧଡ଼ ଧଡ଼ ବସେଇଦେଲା ।
ସାରି ମରିଗଲି ମରିଗଲି ରଡିଛଡୀ
ଛୁଆଟାକୁ କାଖରେ ଜାକି ଚାଲିଆସିଲା।
ସେତେବେଳୁ ଆସି ଦୋକାନ ବାରଣ୍ଡା ରେ।
ଏ ହାଡଭଙ୍ଗା ସିତକୁ ଘୋଡ଼ି ହେବାକୁ କିଛି ନାହିଁ।
ତଥାପି ପିନ୍ଧିଥିବା ସାତ ସିଆଁ ଲୁଗାର ପଣତ ରେ
ଛୁଆକୁ ଘୋଡେଇ ରଖିଛି।ଆଉ ଏକ ଲୟରେ ସକାଳ କୁ ଚାହିଁ ବସିଛି।
ସାରିକୁ ଏମିତି ଏକ ସକାଳର ଅପେକ୍ଷା
ସେ ଆଉ ସବୁଦିନ ଲଢ଼ି ପାରିବନି ଭୋକିଲା ମୂହୁର୍ତ ମାନଙ୍କ ସହ
ତାର ଆଉ କୋଉଠିକି ନିଘନାହିଁ କି ବୁଝିବାକୁ ତର ନାହିଁ
ଏତେ ରାତିରେ ଏକୁଟିଆ ବସିଛି
କେଜାଣି କେତେବେଳେ ଆଖିପତା ଲାଗିଯାଇଛି।
ସକାଳେ ଚାଳ ଉପେରେ କାଉ ର କା କା ଶବ୍ଦ ରେ ନିଦ ଭାଙ୍ଗିଲା
ଉଠିପଡ଼ି ନଈ ଆଡକୁ ଚାଲିଲା।
ମୁନ୍ଦେ ପାଣି ଛୁଆ ମୁହଁ ରେ ଆଉ ନିଜ ମୁହଁ ରେ ଦେଲା
ଖରାକୁ ପଛ କରି ବସି ଉଷୁମ ନଉଛି କି ଦୂରରୁ କିଛି ଶବ୍ଦ ଶୁଣାଗଲା
ନଖିଆ ବା ସାରିକୁ ଦୋକାନ ପିଣ୍ଡା ରେ ବସିଥିବାର ଦେଖି
ଗୋଟେ ନିଶ୍ୱାସରେ ଗାଁରେ ଖବର ଦେବାରୁ ଗାଁ ଲୋକ ଖୋଜି ଖୋଜି ପହଁଚିଲେ।
ରତ୍ନାକୁ ଧରି କିଛି ଲୋକ ପୋଲିସରେ ଦେବେ କହି ବହେ ଶୋଧି ଲେ।
ଆଉ ଥରେ ସାରି ଉପେରେ ହାତ ଉଠେଇଲେ
ଅବସ୍ଥା ଭଲ ହବନି କହିବାରୁ ସମସ୍ତଙ୍କ ଆଗରେ ରତ୍ନା ଭୁଲ ମାଗିଲା।
ଆଉ ସାରି କୁ ଘରକୁ ଯିବା ପେଇଁ ହାତ ଯୋଡ଼ିଲା।
ସେତେବେଳକୁ ସକାଳ କିରଣ ଆଉ ସାରି ର ମୁହଁ ଏକାପରି ଝଟକୁ ଥିଲା।
ମୈତ୍ରେୟୀ କମିଳା
