ଏଇତ ଜୀବନ
ଏଇତ ଜୀବନ
ଢୋକେ ପିଇ ଦଣ୍ଡେ ଜୀଇଁବା ପ୍ରୟାସ
କରୁଛି ମୁହୂର୍ତ୍ତ ଗଣି,
ଏଇତ ଜୀବନ କେବେ ମହା ଶୂନ୍ୟ
କେବେ ବା ସୁବର୍ଣ୍ଣ ଖଣି ।। ୧
ଜୀବନଟା କେବେ ଫଗୁଣର ଫଗୁ
ରଙ୍ଗରେ କରେ ବିଭୋର,
କେବେ ପୁଣି କାଳ ବଇଶାଖି ସାଜି
ଅସ୍ତିତ୍ୱ କରେ ଅସ୍ଥିର ।। ୨
କେବେ ଏ ଜୀବନ ଲାଗଇ ଚନ୍ଦନ
ପାଇ ମଳୟ ପରଶ,
କେବେ କେବେ ପୁଣି ଗ୍ରୀଷ୍ମପ୍ରବାହରେ
ଭରଇ ହାଆ ହୁତାଶ ।। ୩
ଜୀବନ ହସଇ କେବେ କଳ ନଦୀ
ନବ ନିର୍ଝରଣୀ ସମ,
କେବେ ପୁଣି ସିଏ ତପ୍ତ ମରୁ ବାଲି
ବଞ୍ଚିବା କରେ ବିଷମ ।। ୪
ଜୀବନଟା କେବେ କୋମଳ କୁସୁମ
ଆଚ୍ଛାଦିତ ଚଲାପଥ,
କେବେ ପୁଣି ସାଜେ ଦୁର୍ଗମ ଦୁର୍ଭେଦ୍ୟ
କଣ୍ଟକିତ କଙ୍କରିତ ।। ୫
ଜୀବନଟା କେବେ ନହୁଲି ବୟସ
ପ୍ରଥମ ଆଷାଢ଼ ବିନ୍ଦୁ,
ଆଖିରେ ଶ୍ରାବଣୀ ସାଜି କେବେ ପୁଣି
ସୃଜିଥାଏ ସାତ ସିନ୍ଧୁ ।। ୬
