STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଏଇ ମୋର ଘର

ଏଇ ମୋର ଘର

1 min
238


---------------

'ଘର' ବୋଲି ଯେଉଁ ଦୁଇଟି ଅକ୍ଷର

           ଜଗତରେ ସାର ଜାଣ

ସେନହ ମମତା ରହିଥାଏ ଭରି

           ସଦା କିଣୁଥାଏ ମନ ।।


ଘର ନୁହେଁ ସେ'ତ ଦିଅଁଙ୍କ ମନ୍ଦିର 

           ପିତାମାତା ବଡ ଦିଅଁ 

କରୁଥିବି ପୂଜା ତାଙ୍କରି ପୟର

          କରି ହସ ହସ ମୁହଁ ।।


ଏଇ ଘର ମୋର ନଡା ଛପରର

            ସଦା ଝରୁଥାଏ ମହୁ

ସମ୍ପର୍କର ଡୋରେ ବାନ୍ଧିଛି ସଭିଙ୍କୁ

           ଶୁଭେ ଏକତାର କୁହୁ ।।

             

ଏଇ ଘରେ ଅଛି ଷଠିଘର ମୋର

             ସରଗ ସମାନ ପୁର

ଜନମ ନେଇଛି ତା' କୋଳେ ବଢିଛି

            ଶରଧାରେ ଭରପୂର ।।


ବୁଢୀ ମା' ପଢଇ ଗୀତା ଭାଗବତ 

           କହେ କେତେ ନୀତି କଥା

ଚଉଁରା ମୂଳରେ ସଂଜ ଜାଳି ଦିଏ

           ନଇଁଯାଏ ମୋର ମଥା ।।


ଏଇ ଘରେ ମାଆ ପରିବା କାଟଇ

           ବେସର ବାଟଇ ନିତି

ଆରିସା ଗଢଇ ଶାଗ ଖରଡଇ

          ଖିରି ପୁରି କେତେ ଜାତି ।।


ବାପାଙ୍କ ଆକଟ ଦେଖାଏ ଆଲୋକ 

           ଭାଇ ଭଉଣୀ ମୋ ସାଥୀ             

କେତେ ହସ ମଜା ଥଟ୍ଟା ପରିହାସ

           ପାହିଯାଏ କେତେ ରାତି ।।


ଏଇ ଘର ମୋର ବଇକୁଣ୍ଠ ପୁର

            ଚାରି କାନ୍ଥ ସୁରକ୍ଷାର

ବାସୁଥାଏ ସଦା ଫୁଲ ପରି ଯେବେ

            ଥାଏ ଖୁସି ନିରନ୍ତର   ।।


ଏଇ ଘର ମୋର ଶକତି ଭକତି

           ତା' ମାଟି ଚନ୍ଦନ ସମ

ଭୁଲିବି ନାହିଁ ମୁଁ ଭୁଲି ପାରିବିନି 

         ଥାଉ ପଛେ ଯେତେ କାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍