ଇଏ ବି ଜୀବନ
ଇଏ ବି ଜୀବନ
ଏଠି ବଞ୍ଚିବାକୁ ବି
କେହି ସଂଗ୍ରାମ କରେ,
ଭାତ ମୁଠେ କି କନା ଚାଖଣ୍ଡେ
ପାଇଁ ଶୈଶବ ଭୁଲେ...
ଟିକି ଟିକି ଆଶା ମାନଙ୍କୁ
ଜାକି ଜୁକି ଲୁଚେଇ ଦିଏ
ଶୁଖିଲା ହସ ଧାରରେ..
କିଛି ନ ବୁଝି ବି
ଭୋକିଲା ପେଟର ଉବ୍ଦାମତାରେ
ଉଠେଇ ନିଏ ମହଣେ ମହଣେ
ବୋଝ କାନ୍ଧ ଉପରେ...
ଏମିତି ବି କେହି ବଞ୍ଚେ
ସପ୍ନ ଗଢ଼ି ଜରି,କାଗଜ
ବିଞ୍ଚା ପଡ଼ିଆରେ,
ଇଚ୍ଛାମାନଙ୍କ ନିଡ଼ ତୋଳେ
ଅଳିଆଗଦାର ଆବର୍ଜନାରେ
ପୁଣି କେବେ ନିଦ ବୁଣେ
ଖୋଲା ଆକାଶର ଛାତ ତଳେ,
ଅବା କେବେ କେବେ
ଉଚ୍ଚା ପୋଲର
ସିମେଣ୍ଟ ଚଟାଣ ତଳେ..
ଏମିତି ବି କାହା ସକାଳଟା
ବ୍ୟସ୍ତ ରୁହେ
ପ୍ଲାଷ୍ଟିକ ବୋତଲ ବସ୍ତାରେ
ଆଉ କେବେ ପାଦଚଲା ରାସ୍ତା
ରାତ୍ରିର ଶେଯ ସାଜି
ସକାଳଟା ହୁଏ ତାରା ଗଣାରେ..
ଆଉ ବେଳେବେଳେ
ଲୁହ ମାନଙ୍କୁ ବନ୍ଦୀକରି
ନିର୍ବାସିତ କରେ
କେଉଁ ଦୂର ଦୁନିଆର
ବେନାମ ଇଲାକାରେ,
କାରଣ ସେ ବି ବୁଝେ
ଇଏ ବି ଜୀବନ
ଯୋଉଠି ଚେନାଏ ହସ
ଦାନା ବାନ୍ଧିଲେ
ଇଚ୍ଛା ହୁଏ ବଞ୍ଚିବାକୁ
ବିନା ଦ୍ବିଧାରେ..