ଏହି ମୋହର ଶେଷ କାମନା
ଏହି ମୋହର ଶେଷ କାମନା
ଦୁଃଖୀ ଦୁଃଖ ବାରେ ଶୁଣିଲେ ସିନା ହେ ଗୋସାଇଁ
ଦୁଃଖୀ ଦୁଃଖ ଭାର ହୋଇଯିବ ଦୂର
ନୀଳଚକ୍ରେ ଉଡୁଥିବ ତ ବାନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।
ପତିତପାବନ ସେ ବାନାର ନାମ ଜଗତ ସେ କଥା ଜାଣଇ
ବଧିର ହୋଇଲେ ଡାକ ନ ଶୁଣିଲେ
ଗଉରବ ଗାଥା ଲିଭିବ ସିନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।
ତୁମରି ଦୁଆରେ ଆରତ ଆତୁରେ ଦେଖ କେତେ ଲୁହ ଢାଳଇ
ଦେଖି ନ ପାରୁଛ ଆହେ ପଦ୍ମ ମୁଖ
କୋହ ଲୁହ ତା’ର ବାନ୍ଧୁଛି ଦାନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।
ଜଗତର ନାଥ ଦୁଃଖୀର ସଙ୍ଗାତ ନୀଳାଚଳେ ବସି କିମ୍ପାଇଁ
ଷାଠିଏ ପଉଟି କରିଦିଅ ଚଳୁ
ପେଟ ପୋଡିଯାଏ ନ ପାଇ ଦାନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।
ସୁରମ୍ୟ ମନ୍ଦିରେ ରତନ ବେଦୀରେ ଆସିନ ବିଳାସୀ ହୋଇ
ଖୋଲା ଆକାଶର ତଳେ ମୁଁ ପଡ଼ିଛି
ଡାକିଲେ ମୋ ଡାକ ନକର ଘେନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ….।।
ତଥାପି ତୁମର ମନ୍ଦିର ବାହାର ପ୍ରାଙ୍ଗଣରେ ଥାଇ ଡାକଇ
ପ୍ରଫୁଲ୍ଲ ବିକଳ ଶୁଣ ଆଦିମୂଳ
ଏତିକି ମୋହର ଶେଷ କାମନା ହେ ଗୋସାଇଁ, ଦୁଃଖୀ ଦୁଃଖ ବାରେ…।।
