ଏ କି ଘର ?
ଏ କି ଘର ?
ଝାଟିମାଟି ଘର, କାଦୁଅ କାନ୍ଥର
କେତେ ମନୋହର ଥିଲା l
ପରସ୍ପର ପ୍ରତି, ସ୍ନେହ ପ୍ରେମ ପ୍ରୀତି
ଭାବ ଭରି ରହିଥିଲା ll୧
କଂକ୍ରିଟି ଯେ ଘର, ଗାଆଁ ରୁ ସହର
ନାହିଁ ହୃଦୟ କାହାର l
ପରସ୍ପର ପ୍ରତି, ନାହିଁ ସେହି ପ୍ରୀତି
ହେଲା ହୃଦୟ ପଥର ll୨
କାହାକୁ କହିବା ଘର ?
ଯେଉଁ ଘରେ ଦିନେ, ଏକାଠି ରେ ଜନେ
କରୁଥିଲେ ଯେ ଆହାର l
ବୈକୁଣ୍ଠ ସମାନ , ଥିଲା ସେହି ଘର
ହେଲେବି ଝାଟିମାଟିର ll୩
ଆଜି ଯେ ସବୁଠି , ନାହାନ୍ତି ଏକାଠି
ଭାଇ ଭାଇ ସାତ ପର l
ହେଲେବି ସୁନ୍ଦର ,ମାରବଲ ଘର
ନାହିଁ ଭାବ ଆପଣାର ll୪
କାହାକୁ କହିବା ଘର ?
ଯେଉଁ ଘରେ ଦିନେ, ଲଘୁ ଗୁରୁ ଜନେ
ଦେଉଥିଲେ ସନମାନ l
ସନମାନ ଆଜି, ଲୁହେ ଯାଏ ଭିଜି
ନ ଦିଅନ୍ତି କେହି ଧ୍ୟାନ ll୫
ଯେଉଁ ଘରେ ଦିନେ, ଘରଣୀ ଯତନେ
ପାଳୁଥିଲେ ଓଷା ତେର l
ଓଷା ମାରଗୁଲି, ସଂକ୍ରାନ୍ତି ଯେ ହୋଲି
ବାସୁଛି ଆମିଷେ ପୁର ll୫
କାହାକୁ କହିବା ଘର ?
ଯେଉଁ ଘରେ ଦିନେ ,ସନ୍ଧ୍ୟା ଆଗମନେ
ଜାଳୁଥିଲେ ସଞ୍ଜ ବତି l
ଭାଗବତ ଗୀତା ,ଆଜି ଲାଗେ ପିତା
ଗଲାଣି ହେବାକୁ ସ୍ମୃତି ll୭
କେମିତି ସେ ଘର, ହୋଇବ ସୁନ୍ଦର
ନାହିଁ ଏଠି କେହି ନର l
ଯହିଁ ନାହିଁ ଶାନ୍ତି, ସ୍ନେହ ପ୍ରେମ ପ୍ରୀତି
କେମିତି ହୋଇବ ଘର ll୮
କାହାକୁ କହିବା ଘର?
