ଏ ଜୀବନ କପିଧ୍ୱଜ
ଏ ଜୀବନ କପିଧ୍ୱଜ
ରଥେ ଆସୀନ ଅର୍ଜୁନ,
କପିଧ୍ୱଜେ ବିଜେ ଶ୍ରୀହନୁମାନ,
ପାଞ୍ଚ ଅଶ୍ୱ ଟାଣନ୍ତି ସ୍ୟନ୍ଦନ।
ସେହି ପାଞ୍ଚଗୋଟି ହୟ,
ଅଟନ୍ତି ଜୀବର ପଞ୍ଚ ଇନ୍ଦ୍ରିୟ ,
ଟାଣନ୍ତି ଦେହ ମନ ହୃଦୟ।
ଜୀବନ ମହାଭାରତେ ,
ଯୁଦ୍ଧକରେ 'ଜୀବ' ପାର୍ଥ ନିରତେ,
ବାଗ ଦଉଡି 'ପରମ' ହାତେ।
ସାରଥି ହୋଇ ରଥରେ,
ବସିଛନ୍ତି ପରମାତ୍ମା ତହିଁରେ,
ନାରୟଣ ଶ୍ରୀକୃଷ୍ଣ ନାମରେ।
ପାଞ୍ଚ ଘୋଡାଙ୍କ ଦଉଡି,
ନିୟନ୍ତ୍ରଣ କରି ଥାଆନ୍ତି ଭିଡି,
ଦେହ କପିଧ୍ୱଜ ଯାଏ ଗଡି।
ସ୍ପର୍ଶ,ଶ୍ରବଣ,ଦର୍ଶନ,
ଆଘ୍ରାଣ,ଭୋଜନ ଘୋଟକଗଣ,
ଧାଇଁବାକୁ ସର୍ବଦା ଉଛନ୍ନ।
ବିବେକ ଯେ ହନୁମାନ,
ରଥର ଶୀର୍ଷରେ ସେହି ଆସୀନ,
ହସ୍ତେ ଧରି ବାନର କେତନ।
ପାର୍ଥ ହେଲେ ମୋହବଶ,
ଅଥବା ଯୁଦ୍ଧରେ ହେଲେ ବିବଶ,
ମାର୍ଗ ଦେଖାନ୍ତି ଶ୍ରୀହୃଷିକେଶ।
ପାଇ 'ପରମ' ନିର୍ଦ୍ଦେଶ,
ଜୀବ ଯେବେ କାର୍ଯ୍ଯକରେ ଅବଶ୍ୟ,
ହୁଏ ଜୟଯୁକ୍ତ ପରିଶେଷ।
କାହିଁ ଯାଏ ସେ ସ୍ୟନ୍ଦନ,
ଜୀବନ ଭାରତ ହେଲେ ସମ୍ପୂର୍ଣ୍ଣ,
ଶୁଣ ସୁବିବେକୀ ବଂଧୁଗଣ।
କୃଷ୍ଣ କହିଲେ 'ଅର୍ଜୁନ,
ସଙ୍ଗତରେ ଘେନି ବାୟୁ ନନ୍ଦନ,
ରଥ ତ୍ୟାଗକର ତୁ ବହନ।'
ପରମ ବୋଲେ ଜୀବକୁ
ମାୟା ତ୍ୟାଗକରି ଆସ ଆଗକୁ,
ସଙ୍ଗେ ଘେନି ତୁମ୍ଭ ବିବେକକୁ।
ଜୀବ,ପରମ,ବିବେକ,
ଛାଡନ୍ତେ ରଥକୁ,କ୍ଷଣେ ପାବକ,
ଜାଳି କଲା ପାଉଁଶ ମୁଠାକ।
ମହାଯାତ୍ରାର ସମୟେ,
ଜୀବ,ପରମ,ବିବେକ ବିଲୟେ,
ଦେହ ପଞ୍ଚଭୂତେ ଲୀନ ହୁଏ।
