ଏ ଜୀବନ ଚଲାପଥ
ଏ ଜୀବନ ଚଲାପଥ
ଜୀବନଟା ନୁହେଁ ଖାଲି
ରାତି,ଦିନ,ମାସ ଅବା ବର୍ଷ
ଲମ୍ବା ଏକ ଚଲାପଥ
ଆଚ୍ଛାଦିତ ଭରା ଅବିଶ୍ୱାସ l
ଅଛି ଏଠି ପ୍ରବହମାନ
ଜୀବନ ତରଙ୍ଗ
କାମନା ବାସନା ଜର୍ଜରିତ
ଛଳନାର ରଙ୍ଗ
ନୁହେଁ କେହି ଚିରସ୍ଥାୟୀ ସତ
ସବୁ ଖାଲି ଦିଶଇ ବେଢ଼ଙ୍ଗ l
ଦଲକାଏ ପବନ ବି
ଭାଙ୍ଗିଦିଏ ନୀଡ଼
ଅହଂକାର ଆବରଣେ
ଏ ଜୀବନ ଜଡ଼ l
ଆନ ସ୍କନ୍ଧେ ପାଦ ଥାପି
ଆକାଶକୁ ଛୁଇଁବାର
ଦୁର୍ବାର ପ୍ରଚେଷ୍ଟା,
କ୍ଷମତାର ସାଗରରେ
ଦେବା ପାଇଁ ବୁଡ଼
ମରଣ ଦୁଆରେ ବି ମଣିଷ
ଦେଖାଉଛି ତୋଡ଼ l
ସ୍ୱଚ୍ଛ ମନଟିଏ ପାଇବାବି
ଏଠି ମହଙ୍ଗା
ଆଇନାବି ଦେଖାଉଛି
ପ୍ରତିବିମ୍ବ ଭଙ୍ଗା,
ଚାଲିଛି ଅହରହ ଅଙ୍କକଷା
ପୁଣି ଠିକ ଭୁଲର
ଅବିରତ ଦଙ୍ଗା l
ବଞ୍ଚିବାର ଆଶା ଏଠି
ଯାଉଛି ମଉଳି
ବାଳିକା ଟି ବଳାତ୍କାରେ
ପଡୁଛି ଝାଉଁଳି l
କିଏ ଏଠି ଭଲ ପୁଣି
କାହାସହ ଗଢ଼ିବ ସମ୍ପର୍କ,
ବାପା ହେଉ କି ସେ
ଭାଇ ଅବା ବନ୍ଧୁ
ମନରେ ତା'ର ଅବିଶ୍ୱାସ
ଓ ଆଶଙ୍କାର ତର୍କ,
ପ୍ରତି ମୁହୂର୍ତ୍ତ ରେ ତାକୁ
କରୁଛି କ୍ଷତାକ୍ତ l
ଭୁଷୁଡୁଛି ବିଶ୍ୱାସର
ବାଲି ବନ୍ଧ ତା'ର
ପାଶବିକ ଭୋଗ ଲାଳସାରେ
ପଡୁଛି ସେ ବଳି
କେହି ତା'ର ମନ କଥା
ପାରନ୍ତିନି କଳି l
ଆଖି ଥାଇବି ମଣିଷ
ଆଜି ଛଳନାରେ ଅନ୍ଧ
ତା'ଦୃଷ୍ଟି ରେ ବାରି ହୁଏ
ହିଂସ୍ର ପଶୁତ୍ବର ଗନ୍ଧ ।
