ଦଶହରା
ଦଶହରା
ମରତେ ଆସିଛି ଦଶହରା ପୂଜା
ଖୁସିର ମେଲଣ ନେଇ
ଏ ପୂଜା ପାର୍ବଣେ ସର୍ବେ ମସଗୁଲ
ଶାରଦୀୟ ଗୀତ ଗାଇ ।
ଦଶଦିନ ଧରି ଦଶହରା ପର୍ବ
ଆନନ୍ଦେ ପାଳିତ ହୁଏ
ମାଆଙ୍କ ମଣ୍ଡପ ସୁନ୍ଦର ତୋରଣେ
ସାଜସଜ୍ଜା ହୋଇଥାଏ ।
ଭକ୍ତି ରସାମୃତ ହୃଦୟରୁ ଝରେ
ମାଆଙ୍କ ଦର୍ଶନ ପାଇ
ମାଆଙ୍କ ଆଶିଷେ ଏ ଧରା ହସଇ
ଚଉଦିଗ ଚମକାଇ ।
ସହର ଠୁ ବଳି ଗାଆଁ ପରିବେଶ
ଅତି ମନୋହର ଦିଶେ
ସବୁଜ ବିଲରେ ସୁନାର ଫସଲ
ଲହଡ଼ା ମାରି କି' ହସେ ।
ଜଗତ ଜନନୀ ମାଁ ସିଂହାସନୀ
ପୂଜା ପାନ୍ତି ଧରା ଧାମେ
ଆତ୍ମୀୟ ସ୍ୱଜନ ସାଙ୍ଗସାଥି ମେଳେ
ଦଶହରା ଖଟି ଜମେ ।
ସୁଖ ଶାନ୍ତି ବୀଜ ଏ ଜଗତେ ବୁଣି
ଉଭା ହୁଅ ଦଶଭୁଜା
ସମର୍ପିତ ମନେ ଭକ୍ତିଅର୍ଘ୍ୟ ଢାଳି
ନିତି କରେ ତୁମ ପୂଜା ।
ଅବତରି ଆସି ଏ ମର୍ତ୍ତ୍ୟପୁରିକୁ
କରୋନାକୁ କର ନାଶ
ଏ ବିଶ୍ୱ ବିପତ୍ତି ସମ୍ପୂର୍ଣ ହଟେଇ
ଜିତ ସଭିଙ୍କ ବିଶ୍ୱାସ ।
