ଦର୍ଶନ ଦିଅ
ଦର୍ଶନ ଦିଅ
1 min
248
ସୁନାମୁଦି ଦେଇ ମାଣିକ ଗୌଡୁଣୀ
ଦହି ଖାଇଲ ଆପଣ,
ବନ୍ଧୁ ମହାନ୍ତିକୁ ଭୋଗଫଳ ଯାଚି
ବହିଲ ଟି ବଡପଣ।।
ଶବରୀର ଫଳ, ଦାସିଆ ଶ୍ରୀଫଳ
ଭକ୍ଷିଲ ଜଗତନାଥ,
ବିଦୁରର ଶାଗ, ସୁଦାମାର ଖୁଦ
ଭଜାରେ ହୋଇଲ ପ୍ରୀତ।।
ପତିତ, ପାବନ ଭକ୍ତି ଅର୍ଘ୍ୟ ଘେନି
"ପତିତପାବନ" କଲ,
ଭକ୍ତର ଆତୁର ନିବେଦନ ଶୁଣି
ଭଟଲି ପହଞ୍ଚି ଥିଲ।।
ବିଲ୍ଵମଙ୍ଗଳ ଓ ବଳରାମ ଦାସ
ବିଟପୁରୁଷରେ ଗଣା,
ଭକତ ବତ୍ସଳ କି ଭାବ ଭରିଲ
ଭକ୍ତେ ହେଲେ ଜଣା ଶୁଣା।।
କଳଙ୍କ ଲାଗିବ ଶ୍ରୀମୁଖରେ ପ୍ରଭୁ
ମଲେ ମୁଁ ବିନା ଦର୍ଶନେ,
ଭଜି ଭଜି ମୋର ଗଳା ଶୁଖିଲାଣି
ଉଦ୍ଧାର ପତିତ ଜନେ।।
