ଦୋଳରେ ଆସନ୍ତି ଦୋଳଗୋବିନ୍ଦ
ଦୋଳରେ ଆସନ୍ତି ଦୋଳଗୋବିନ୍ଦ
ଦୋଳରେ ଆସନ୍ତି ଦୋଳଗୋବିନ୍ଦ ଲୋ
ରାଧିକାକୁ ସାଥେ ନେଇ
ଗାଆଁ ଦାଣ୍ଡେ ବୁଲି ଖାଇବେ ସେ ଭୋଗ
ରଙ୍ଗର ଅବିର ନାଇ।
ବରଷକେ ଥରେ ଆସେ ଦୋଳ ଯାତ
ପାଞ୍ଚ ଦିନ ହୁଏ ଖୁସି
ଫଗୁଦଶମୀଠୁ ବୁଲନ୍ତି ଗୋବିନ୍ଦ
ଭକତ ସାଥିରେ ମିଶି।
ଅଗଣାକୁ ଲିପି ମୁରୁଜକୁ ଆଙ୍କି
ଚାହିଁଥାନ୍ତି ଭକ୍ତ ଜନ
ଫଳମୂଳ କୋରା ଖଜା ମିଠା ପେଡା
ସାଥେ ଧୂପ ଦୀପ ମାନ।
ଗୋପାଳ ପୁଅର ମନ ତ ଉଚ୍ଛନ୍ନ
ହୋଇବ ଲଉଡ଼ି ଖେଳ
ହାତେ ଧରି ବାଡ଼ି ଗାମୁଛାକୁ ଭିଡ଼ି
ଗାଆଁ ଦାଣ୍ଡେ ହୋନ୍ତି ମେଳ।
ଦୋଳ ପୂର୍ଣ୍ଣମୀରେ ଖିରି ପିଠା କରି
ବାଣ୍ଟନ୍ତି ସାହି ପଡିଶା
ଆମ ପରମ୍ପରା ଚିହ୍ନ ଭାଇଚାରା
ସ୍ନେହ ପ୍ରେମର ଏ ଭାଷା।
ହୋଲିକା ଦହନ ଉତ୍ସବ ପାଳନ
କରନ୍ତି ସଭିଏଁ ମିଶି
ମେଣ୍ଢା କୁଡ଼ିଆରେ ଲଗାନ୍ତି ଯେ ନିଆଁ
ଗୋବିନ୍ଦ ମୁରୁକି ହସି।
ସାଙ୍ଗ ସାଥି ଭାଇ ବନ୍ଧୁ କୁଟୁମ୍ବ
ହୋଲି ରଙ୍ଗ ବୋଳା ବୋଳି
ଜାତି ଧର୍ମ ଭୁଲି ସଭିଏଁ ଏକାଠି
ହୋନ୍ତି ପୁଣି କୋଳା କୋଳି।
ଖୁସିରେ ସଭିଏଁ ପାଳ ଏ ପରବ
ରାଗରୁଷା ଯାଇ ଭୁଲି
ଦି ଦିନ ଜୀବନ ଆଜି ଅଛି ସିନା
ଥିବ କି ନ ଥିବ କାଲି।