STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

ଦୀପାବଳି

ଦୀପାବଳି

1 min
13.7K



ଉଆଁସ ଛାତିରେ ଲହଡି ଭାଙ୍ଗୁଛି

ତମିସ୍ରା ର କଳା ଢେଉ

ଦୀପର ଆଲୋକେ ଧରଣୀର ବୁକେ

ଜ୍ୟୋତି ବିଛୁରିତ ହେଉ ।।


ଅଖଣ୍ଡ ଦୀପାଳି ଅଲୌକିକ ଶକ୍ତି

ପ୍ଳାବିତ ଏ ଧରା କୋଳେ

ଦୁର୍ନୀତି ସାମ୍ରାଜ୍ୟ ହିଂସାର ପର୍ବତ

ଭାଙ୍ଗିଯାଉ ଅବହେଳେ ।।


ମାଟିକୁ ଛୁଇଁବ ସୁବର୍ଣ୍ଣ ସକାଳ

ଝରିବ ପୀୟୂଷ ଧାରା

ଆଲୋକ ର ପର୍ବ ହସର ପୁଲକ

ସମର୍ପିତା ବସୁନ୍ଧରା ।।


ହୃଦୟର ଯେତେ ଅନ୍ଧ ଅହମିକା

ଦାସତ୍ଵ ର ଯେତେ ଭାଗ

ଦୀପ ପ୍ରଜ୍ବଳନେ ମୁକ୍ତି ର ପିପାସା

ଭେଦୁ ଅପହଂଚ ଦିଗ ।।


ନବ୍ୟ ଚେତନାର ସୁଭବ୍ୟ ମହକ

ତୋଳୁ ପ୍ରେମର ରାଗିଣୀ

ଆକାଶ ଛିତିରୁ ଝର ଝର ଝରୁ

ଅମୃତ ର ମନ୍ଦାକିନୀ ।।


ଶାନ୍ତି ସଦ୍ଭାବନା ଭାତୃତ୍ବ ର ଭାବ

ହେଉ ସ୍ତୁତିର ସ୍ତବକ

ଭୂମିରୁ ଭୂମା କୁ ପାପରୁ ପୁଣ୍ୟ କୁ

ବ୍ୟାପୁ ସତ୍ୟ ର ମହକ ।।


ସତ୍ୟ ସନାତନ ମାନବର ଧର୍ମ

ଚୀରୁ ଅନ୍ଧାର ରାତି

ଦୀପ ପରଂବ୍ରହ୍ମ ଦୀପ ପରଂଜ୍ଞାନ

ଦୀପ ହିଁ ପରମ ଶକ୍ତି ।।


ଅଦିବ୍ୟରୁ ଦିବ୍ୟ ଅଦୃଶ୍ୟ ରୁ ଦୃଶ୍ୟ

ଅନ୍ଧାରୁ ଆଲୋକ ଯାତ୍ରା

ଦୀପର ବିଭବ ଆଲୋକ ସୌରଭ

ଦୀପାବଳି ଦେଉ ବାର୍ତ୍ତା ।।


ଆତସବାଜିର ତୀବ୍ର ପ୍ରକମ୍ପନ

ଭାଙ୍ଗିଦେଉ ନୀରବତା

ଅମା ଅନ୍ଧକାର ଲିଭିଯାଉ ଭବେ

ନିଗିଡି ପଡୁ ପୂର୍ଣ୍ଣତା ।।


ସନ୍ଧ୍ୟାର ସଳିତା ପ୍ରଜ୍ବଳିତ ଶିଖା

ପାପ ରାଶି କରୁ କ୍ଷୟ

ମହମହ ବାସୁ ସବୁଜ ଧରିତ୍ରୀ

ଧର୍ମ ର ହେଉ ଜୟ ।।

================

ଶରତ କୁମାର ଦାସ , ବଡବିଲ ମହାବିଦ୍ୟାଳୟ, ବଡବିଲ


Rate this content
Log in