ଦୀପାବଳି
ଦୀପାବଳି
-----------------
ମୁଠାଏ ମଧୁର ପାର୍ବଣର ମୁଗ୍ଧ ଉଚ୍ଛ୍ବାସ
ଭିଜା ଭିଜା ସ୍ନିଗ୍ଧ ମହକର ସିକ୍ତ ଅନୁଚିନ୍ତା
ଭୂମାରୁ ଭୂମିକୁ ଛୁଉଁଛି ଶୁଭ୍ର ଜ୍ୟୋତି
ଚୂନା ଚୂନା ଆଲୋକର ବର୍ଣ୍ଣାଳୀ
ଚିତ୍ରିତ ଧରିତ୍ରୀର ମୁକ୍ତ ଅଗଣାରେ ,
ଅଜାଡି ପଡୁଛି ଆଶିଷର ଧାର
ଘୁଞ୍ଚିଯାଏ ଅମାର ବହଳ ଅନ୍ଧାର
ଅପସରି ଯାଏ ଅନୀତିର ଅଦୃଶ୍ୟ ଚେତନା
ଯେତେ ପାପାଚାର ,ଉଗ୍ରତାର ଅସଂଯତ ଭାବ
ବିକୃତ ମାନସିକତାର ବିଭତ୍ସ ପ୍ରତିବମ୍ବ
ଗୁଳି ଗୋଳା ପୁଣି କମାଣର ଗନ୍ଧ ।
ଦୀପାବଳିର ମଧୁଗନ୍ଧା ଦୀପର ଝଲକେ
ଆୟୁଷ୍ମାନ ହୁଏ ସକାଳର କଅଁଳ ପରଶ
ବାସ୍ନାୟିତ ହୁଏ ସବୁଜ କେଦାର
ବଣ, ବିଲ, ନଈ ଓ ପାହାଡ ।
ନେସି ହୁଏ ହାତ ପାପୁଲିରେ
ନୀବିଡତାର ଯେତେ ସ୍ବର୍ଣ୍ଣାଭ ଅଶ୍ଳେଷ ,
ଫୁଟିଉଠେ ପବନର ପୁଷ୍ପିତ ଛାତିରେ
ଦିଗନ୍ତବିସ୍ତାରି ମୁଗ୍ଧ ସମ୍ମୋହନର ନବ ପୁଲକ
ଶୁଭେ ତୂର୍ଯ୍ୟନାଦ ଶେଷହୀନ ସଂଗ୍ରାମର ,
ସାମ୍ୟ-ମୈତ୍ରୀ-ଭ୍ରାତୃତ୍ବର ସାବଲୀଳ ଚିତ୍ରପଟ
ରୋମାଞ୍ଚିତ କରେ ବିଶ୍ବାସର ବିଶୁଦ୍ଧ ବଳୟ ।
ହୃଦୟର ନିବୁଜ ଇଲାକା ହୁଏ ଗୁଂଜରିତ
ସମୁଦ୍ରର ଉତ୍ତାଳ ତରଙ୍ଗ ହୁଏ ଆତ୍ମହରା
ମଗ୍ନ ମାଟିରେ ଲେଖା ଅୟୁତ ଦିନର ଇତିହାସ
ଜାଗ୍ରତ, ଉତ୍ଥିତ ଓ ଉଦ୍ଭାସିତ ହୁଏ ,ପୁନଶ୍ଚ
ଆଲୋକର ସଫେଦ୍ ଚାଦର ତଳେ
ଅନ୍ଧାରୀ ମୂଳକ ଖୋଜେ ହଜିଲା ଠିକଣା
ନିଶୀଥ ରାତ୍ରିର ନିରୋଳା ମୁହୂର୍ତ୍ତେ ,
ଦୀପାବଳିର ସମ୍ମୋହିତ ସୌରଭର ତାଳେ
ଆଗମନୀର ବାର୍ତ୍ତା ପ୍ରଚାରିତ ହୁଏ
ଏକ ସୁସଜ୍ଜିତ,ସୁବାସିତ ଓ ଆହ୍ଲାଦିତ ସକାଳର ।
