STORYMIRROR

Chinmaya Kumar Nayak

Children Stories Inspirational

3  

Chinmaya Kumar Nayak

Children Stories Inspirational

ଧୂଳିବୋଳା ଶୈଶବ

ଧୂଳିବୋଳା ଶୈଶବ

1 min
165

ଆମ୍ବ ପିଜୁଳିର ଗଛ ଡାଳେ ଯେବେ

ହସେ ଖୁସିର ସମ୍ଭାର 

ଦୁଷ୍ଟାମୀ ପାଟିରୁ ଲାଳ ଯାଏ ବୋହି

ସୃଷ୍ଟି ହୁଏ ଯୋଜନାର ।

ଦାଣ୍ଡ ବାରି ଦେଇ ନଈକୂଳ ଯାଏଁ

ପ୍ରସରି ଯାଏ ହୁଙ୍କାର 

ଧୂଳିବୋଳା ଶୈଶବ ହାତ ଠାରି

ଡାକେ ହେ ପଥିକ ଫେର।

ବନିଶି କଣ୍ଟାରୁ ମାଛ ଗଲେ ଖସି

ଉଦାସ ଉଦାସ ଲାଗେ 

କଦଳୀ ଗଛର ଭେଳା ପରେ ବସି

ଦିଗନ୍ତର ସ୍ୱପ୍ନ ଜାଗେ।

ଏକୁଳ ସେକୁଳ ଛୁଇଁ ଯିବା ପାଇଁ

ମନରେ ଉଠେ ଜୁଆର 

ଧୂଳିବୋଳା ଶୈଶବ     

ମାଳତୀ ଲତାର ଛାଇତଳେ ଖେଳେ

ଅପରିପକ୍ୱ ସପନ 

ଆମ୍ବ କଷି ପରି ଖଟା ଚଗଲାମୀ

ହରେ ସଭିଙ୍କର ମନ। 

ନିରୀହ କିନ୍ତୁ ସେ ଖର ମସ୍ତିଷ୍କରେ

ଉଠେ ଚପଳ ବିଚାର

ଧୂଳିବୋଳା ଶୈଶବ     


ଇଛାର ସୁଅରେ ଲାଗିଲେ ଅଟକ

ସରଳ ମୁହଁଟି ରୁଷେ 

ରୁଷିବାକୁ କରି ତା ଅମୋଘ ଅସ୍ତ୍ର

ଜିତି ସେ ସଭିଙ୍କୁ ହସେ। 

ସେଇ ଜିଦ ତଳେ ଢଳ ଢଳ ହୁଏ

କାଲିର ମୋତି କାକର 

ଧୂଳିବୋଳା ଶୈଶବ     

ସକାଳୁ ସକାଳୁ ଚୁଲି ପାଉଁଶରୁ

ପୋଡ଼ା ଆଳୁ ଖୋଜା ହୁଏ 

କାଗଜର ଡଙ୍ଗା ବରଷା ସୁଅରେ

ଆନନ୍ଦରେ ସେ ଭସାଏ। 

ତେନ୍ତୁଳି ପାଣିର ରାଗୁଆ ସୁଆଦେ

ବସେ ବାଳୁତ ଆସର 

ଧୂଳିବୋଳା ଶୈଶବ     

ସେ ଲୁଚକାଳି ଖେଳ ପୁଚି କବାଡିରେ

କେଜାଣି କି ନିଶା ଥାଏ

ବେଳ ବୁଡ଼େ ପଛେ ସରେନାହିଁ ଖେଳ

ଭୋକ ଶୋଷ ହଜି ଯାଏ। 

ବାଦଲ ପଛରେ ଧାଇଁ ଅସଫଳ

ହେଉଥାଏ ପ୍ରତିଥର 

ଧୂଳିବୋଳା ଶୈଶବ     

ସାଧବ ବୋହୂର ସାଙ୍ଗରେ ସଙ୍ଗାତ

ନିଜେ ମନେ ମନେ ବସେ 

କଙ୍କି ପ୍ରଜାପତି ସହ କଥା ହୋଇ

ଖେଳେ ସେ ନିତି ହରଷେ। 

ଫୁଲ ତା ମୁହଁକୁ ଦେଖି ହସିଦିଏ

ସତେ କି ଅତି ନିଜର 

ଧୂଳିବୋଳା ଶୈଶବ     

କିଏ କହେ ତାକୁ ତୁଳସୀ ତ ପୁଣି

କିଏ କହେ ବିଛୁଆତି 

ତା ବିନା ସରେନା ଦିନ କେଉଁ ଘରେ

ତା ବିନା ପାହେନା ରାତି। 

ଘର ପୁରେନାହିଁ କେବେହେଁ କାହାର

ବିନା କୋଳାହଳେ ତାର 

ଧୂଳିବୋଳା ଶୈଶବ     

ଧ୍ୱନି ତ ତା ମୁଖେ ହୁଏ ଭବିଷ୍ୟର

ଭରା ଭରା ସ୍ୱପ୍ନ ରାଜି 

ଖେଳିଯାଏ ବନ ଉପବନ ଡେଇଁ

ତା ମୁଗ୍ଧ ସୌରଭ ରାଜି। 

ସ୍ୱପ୍ନ ମାନେ ଆସି ହାତ ଧରି ନେଇ

ଗଳାରେ ଲମ୍ବାନ୍ତି ହାର 

ଧୂଳିବୋଳା ଶୈଶବ     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍