ଦହନ
ଦହନ
ଚିକମିକ ପଥରର ଘର୍ଷଣ ଦେଇ, ମୋ ଗୋଲାପି ଓଠରେ ଅଗ୍ନି
ସଂଯୋଗ କଲ,
ସବୁ ଅଧିକାର ନେଇ ତୁମେ ଆରମ୍ଭ ବି କରିପାର,
ଶେଷ ବି ତା'ଦେଖିବା ବାକି ଥିଲା,
ଏତ ମୋ ଗୋଲାପି ମଖମଲି କାୟା ,
କାୟା ଭିତରେ କୋମଳ ମନଟିଏ,
ଏ... ଇ.. ଜାଣି ପାରିଲନି.. ନା..?
ମୋ ଭାବନାକୁ ତରଳାଇ ନିର୍ଯ୍ୟାସ ଗୁଡିକ ବାହାରୁଥିଲେ,
ସେ ଭାବ ରୂପକ ନିର୍ଯ୍ୟାସ କୁ ନେଇ ଖେଳିଲ,
ନିର୍ଯ୍ୟାସ ସବୁକୁ ନେଇ ଥଣ୍ଡା ପାଣିରେ ପକାଇ ଆକୃତି ଦେଉଥିଲ,
କେତେବେଳେ କ୍ରେୟନସ କରି ମନ -ଇଚ୍ଛା ଚିତ୍ର ଆଙ୍କୁଥିଲ
ଜଳୁଥିଲି ମୁଁ , ଦହନ ହେଉଥିଲା ମୋ କାୟା
ଆଲୋକିତ ତୁମ କୋଠରୀ
ଆନନ୍ଦ ପାଉଥିଲ ତୁମେ
ତୁମ ଆନନ୍ଦରେ ଆନନ୍ଦିତା ମୁଁ ମନେ ମନେ,
ଏ...ଇ...ବୁଝି ନଥିଲ.. ନା...?
ମୁଁ ତ ଚାହୁଁଥିଲି ତୁମ ଉପସ୍ଥିତି କେବଳ
ମୋ ଆଲୋକର ଚାରିପଟେ
ଜାଣି ଜାଣି ମୋ ନିର୍ଯ୍ୟାସ ଭାବକୁ ଅଂଗୁଳି ମାରି ମାରି ଆହତ କଲ କାଇଁ?
ଅଂଗୁଳି ଜଳିଗଲା,
ଉ....ଫ... କହି ରାଗରେ ଫୁଙ୍କିଦେଲ...
ଏ.... ଇ... କଷ୍ଟ ହେଲାନା .... ?
ନା, ମୁଁ ଆରମ୍ଭର ସୂତ୍ରଧର ଥିଲି
ନିଃଶେଷ ହେବାର ମୌକାଟିଏ ଦେଲ
ତୁମ ଅଂଗୁଳି ଜଳିବାର, କାରଣଟି ବି ମୁଁ ହେଲି
ବାଃ ନୀତି ତୁମରି ,,ନିୟତ ବି ତୁମର
ମୁଁ ଖାଲି ଦୋଷିଟିଏ କାଠ ଗଡାର
ତୁମକୁ.... ଭାବଗ୍ରାହୀ ଭାବିଥିଲି
ମୋ ଭାବର କାରକ ତ ହେବା ଦୂରକଥା
ସାମାନ୍ୟ ଗୁଣଗ୍ରାହୀ ମନେ ହେଲନି
ତୁମ ଅଂଗୁଳି ଜଳିବା ଦୋଷ ମୋ ଜନ୍ମଜାତ ଗୁଣ ଶିଖାର ହେଲା ,
ଦୋଷ ଗୁଡିକ ମୋ ମଥାରେ ଲଦି ଦେଇ
କେଡେ ସୁନ୍ଦର ଖସିଗଲ ।
ଏ.... ଇ... ଖୁସି ଅଛନା?
ପ୍ରତିମା ଦାସ।
