ଦେହ
ଦେହ
ଏଇ ଦେହ ପରା ଅଟେ ବୃନ୍ଦାବନ
ଲୀଳା କରୁଚ ହେ ପ୍ରଭୁ |
ବୃନ୍ଦାବନେ ଯାଇ ଖୋଜୁଚି ତୁମକୁ
ନାହିଁ ବୋଲି ଦିବ୍ୟଚକ୍ଷୁ ||୧||
ଅସ୍ଥି ମଜ୍ଜ ଗଢା ରୂପ ସୌନ୍ଦର୍ଯ୍ୟ ତ
ସବୁତ ଅଟଇ ମାୟା |
ପଞ୍ଚଭୂତେ ଗଢ଼ା କ୍ଷଣିକ ଭଙ୍ଗୁର
ମୃଣ୍ମୟର ଏହି କାୟା ||୨||
ମୃଣ୍ମୟ ମଧ୍ୟରେ ଚିନ୍ମୟ ରୂପରେ
ବ୍ୟାପିଅଛ ତୁମେ ପ୍ରଭୁ |
ମାୟା ଏ କାୟାର ଅଭାବରେ ପ୍ରଭୁ
କିପରି ଭଜିବି ପ୍ରଭୁ ||୩||
ଶରୀରରେ ଷଡ଼ ରିପୁ ରହିଛନ୍ତି
ଇନ୍ଦ୍ରିୟ ଆସକ୍ତ ହୋଇ |
ସ୍ୱଧର୍ମ ପାଳନ ଅଟଇ ବ୍ରହ୍ମାସ୍ତ୍ର
ଏହାକୁ ନାଶିବା ପାଇଁ ||୪||
କୌରବ ପାଣ୍ଡବ ବସିଛନ୍ତି ଦେହେ
ପ୍ରବୃତ୍ତି ନିବୃତ୍ତି ରୂପରେ |
ମହାଭାରତର ଲୀଳା ହେଉଅଛି
ଏହି ଶରୀର କ୍ଷେତ୍ରରେ ||୫||
ଅଧର୍ମ ବଢ଼ିଲେ ଧର୍ମଗ୍ଳାନି ହେଲେ
ଧରଣୀ ରୋଦନ କରଇ |
ସୃଷ୍ଟିରକ୍ଷା ପାଇଁ ଆସୁଛ ଧରାକୁ
ଭିନ୍ନ ଭିନ୍ନ ଦେହ ହୋଇ ||୬||
ମୀନ କଚ୍ଛପ ଶୂକର ନରହରି
ବାମନ ରୂପରେ ଆସିଲ |
ଭୃଗୁପତି ରାମ ହଳଧର ବୁଦ୍ଧ
କଳ୍କି ରୂପେ ଲୀଲା କଲ || ୭||
ଏହି ଶରୀର ତ ମୋକ୍ଷର ସିଡ଼ି
ଉପାୟତ କହିଦିଅ |
"କଣ୍ଟକନୈବ କଣ୍ଟକମ୍" ପରି
ନ୍ୟାୟ ପ୍ରଭୁ କରିଦିଅ ||୮||
ଦେହୀ ହୋଇ ତୁମେ ସର୍ବତ୍ର ବ୍ୟାପିଚ
ଦେହ ତ ନିମିତ୍ତ ଅଟଇ |
ଦେହ ଦେହୀ ଠାରୁ କିପରି ଅଭିନ୍ନ
ବତାଇ ଦିଅ ହେ ସାଇଁ ||୯||
