ଦେବୀ ଦଶଭୂଜା
ଦେବୀ ଦଶଭୂଜା
ଶରତର ଶୋଭା ଅଜାଡି ପଡୁଛି ସବୁଜ ଧରିତ୍ରୀ କୋଳେ
ରୂପେଲୀ ରଜନୀ ହସେ କିରିକିରି ଚାନ୍ଦର ଚାନ୍ଦିନୀ ମେଳେ
ପାର୍ବଣ ପଶରା ମହ ମହ ବସେ ଦେବୀ ଆସିଛନ୍ତି ମର୍ତ୍ତ୍ୟେ
ମୃଣ୍ମୟୀ ପ୍ରତିମା ଝଲମଲ ଦିଶେ ଆବିର୍ଭୂତା ଜାତି ସ୍ଵାର୍ଥେ ।
ଚନ୍ଦନ ଚର୍ଚ୍ଚିତା ମାତା ଦଶଭୂଜା ଅପରୂପା ଆଦ୍ୟାଶକ୍ତି
ଝଲମଲ ଜ୍ୟୋତି କମନୀୟ କାନ୍ତି ବିକଶୁଛି ଦିବ୍ୟ କୀର୍ତ୍ତି ।
ଜଗତଜନନୀ ମାତ କାତ୍ୟାୟନୀ ବିରାଜିତା ଧରାଧାମେ
ସିଂହବାହିନୀ ମା ମହିଷମର୍ଦ୍ଦିନୀ ଫୁଟାଇଛୁ ହସ ମର୍ମେ ।।
ମାଟିରୁ ଆକାଶ ବ୍ୟାପିଛି ଅନୀତି ଅଧର୍ମୀ ମାନଙ୍କ ମେଳ
ଚଉଦିଗ ଯାହା ପାପର ସାମ୍ରାଜ୍ୟ ରକ୍ତ ର ହୋଲି ଖେଳ ।
ମାରିଲୁ ମହିଷା ଦେବ ରକ୍ଷାକଲୁ ଅରଜିଲୁ ଯଶଖ୍ୟାତି
ଏବେ ବି ମହିଷା ବଂଚିଛି ହୃଦୟେ କରୁଅଛି ଅପକୀର୍ତ୍ତି ।।
ଅଜାଡି ଦିଏ ମା' ଆଶିଷର ଧାରା ହୃଦୟ ହେଉ ତଲ୍ଲୀନ
ତୋ ମନ୍ତ୍ର ମହକ ସ୍ତୁତିର ସ୍ତବକ ଚିରନ୍ତନ ଗରୀୟାନ ।
ଅଗ୍ନି ସମ୍ଭୁତା ତୁହି ବେଦମାତା ସକଳ ସୃଷ୍ଟି ର ଆଧାର
ତୁହି ମହାମାୟୀ ତୁହି ଯୋଗମାୟୀ ପୂର୍ଣ୍ଣତାର ଅଡତାର ।।
ତୋ ନବରାତ୍ର ପୂଜା ଉପଚାର ହେଉ ସୃଷ୍ଟି ରେ ନିଆରା
ବିଜୟାଦଶମୀ ସଂକଳ୍ପ ଦିବସ ହସୁଥାଉ ବସୁନ୍ଧରା ।।
ପଥହରା ମୁଁ ଯେ ଅନ୍ଧକାର ବାସୀ ସ୍ଵାର୍ଥର ଫାଶରେ ବନ୍ଦୀ
ପ୍ରାର୍ଥନା କରୁଛି ପିନ୍ଧେଇ ଦିଏ ମା' ଆଶିଷର ପୂର୍ଣ୍ଣ ବିନ୍ଦି ।।
ଅଧର୍ମ ଉପରେ ଧର୍ମର ବିଜୟ ହିଂସା ଉପରେ ଅହିଂସା
ଏ ସଂସାର ପଥ ହେଉ ଦୀପ୍ତିମନ୍ତ ଲିଭାଇ ଦିଏ ତମିସ୍ରା ।।
ହେ ଜଗମୋହିନୀ ଶକ୍ତିସ୍ବରୂପିଣୀ ଅବସ୍ଥାନ ହେଉ ମର୍ତ୍ତ୍ୟେ
ଯାଆନା ତୁ ଫେରି ତୋ ପୁଣ୍ୟ ଧାମକୁ ଲୋତକ ଝରିବ ନେତ୍ରେ ॥
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ, ବଡବିଲ ।
