STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ଦେବୀ ଆସୁଛନ୍ତି

ଦେବୀ ଆସୁଛନ୍ତି

1 min
409


ନଈପଠା ଧାରେ କାଶତଣ୍ଡୀ ହସେ

ତନ୍ମୟ ତଲ୍ଲୀନ ଚିତ୍ତେ

ସବୁଜ ଧରଣୀ ଚାହିଁଛି ଚାତକେ

ଦେବୀ ଆସୁଛନ୍ତି ମର୍ତ୍ତେ ।।


ଧାରା ଶ୍ରାବଣର ରିମଝିମ୍ ସୁର

ଅପସରି ଯାଏ ଧୀରେ

ଶରତର ସ୍ବଚ୍ଛ ନିର୍ମଳ ଆକାଶୁ

ଆଶିଷର ପୁଷ୍ପ ଝରେ  ।।


ଦିବ୍ୟ ଚେତନାର ଭବ୍ୟ ମହକ

ଛୁଇଁଯାଏ ଭୂମି ଭୂମା

ପାର୍ବଣର ସ୍ନିଗ୍ଧ ମଧୁ କୋଳାହଳେ

ନାଚିଯାଏ ସବୁଜିମା  ।।


ବନ ଲତା ଯେତେ ସବୁଜ କେଦାର

ପାହାଡ ପର୍ବତ ରାଜି

ନବ୍ୟ ଆଲୋକର ଶାଶ୍ଵତ ପରଶେ

ଆନନ୍ଦେ ବିଭୋର ଆଜି ।।


ଫୁଲ ଚାଙ୍ଗୁଡିର ପବିତ୍ର ମହକେ

ପୁଲକିତ ଦେହ ମନ

ଦୀପ ଦୀପାଳିର ଅମୃତ ସୁଗନ୍ଧେ 

ଉଲ୍ଲସିତ ବିଶ୍ବ ପ୍ରାଣ   ।।


ଘଣ୍ଟ ଘଣ୍ଟା ତାଳେ ମାତା ଦଶଭୂଜା 

ଅପରୂପା ଦିବ୍ୟଜ୍ୟୋତି

ଖଣ୍ଡା ଖର୍ପରରେ ସଦା ଝଲମଲ

ମହାମାୟୀ ଆଦ୍ୟାଶକ୍ତି ।।


ମନ୍ତ୍ର ଆଳତିର ମଧୁର ମୂର୍ଚ୍ଛନା

ଶୁଭିଲାଣି ଧରାଧାମେ

ଶାନ୍ତି ସୌହାର୍ଦ୍ୟର ଶୁଭ୍ର ଜ୍ୟୋସ୍ନାଧାର

ଭେଦିଲାଣି ମର୍ମେ ମର୍ମେ ।।


ମଧୁର ଲଗ୍ନରେ ମଗ୍ନ ପୂଜାବେଦୀ  

ନଭଶ୍ଚୁମ୍ବୀ ଅନୁଭବ

ମାତୃ କରୁଣାର ଉତ୍ତାଳ ଢେଉରେ

ସିକ୍ତ ଶିହରିତ ଭାବ  ।।


ପାପର ତମିସ୍ରା ଲିଭିଯିବ ଭବେ

ଉଇଁବ ମଙ୍ଗଳ ଉଷା

ଭକ୍ତି ସ୍ବାଗତିକା ଗାଉଥିବ ଧରା

ସତ୍ୟ-ସୁନ୍ଦରର ଭାଷା  ।।


ଏକତାର ଦୀପ ହେବ ପ୍ରଜ୍ଜ୍ଵଳିତ 

ହଟିଯିବ ହିଂସା ଦ୍ବେଷ

ମୃଣ୍ମୟୀ ପ୍ରତିମା ଅନନ୍ତ ସୁଷମା

ହସୁଥିବ ସାରା ବିଶ୍ବ   ।।


ମୁଠାଏ ବିଶ୍ବାସ ହାତ ପାପୁଲିରେ 

ଝରୁଥିବ ଝରଝର

ପବନ ଛାତିରେ ଅଙ୍କୁରିତ ହେବ

ପୁଣ୍ୟଗନ୍ଧା ପ୍ରୀତିସୁର  ।।


ଆସ ମାତ ଦୁର୍ଗେ ଦୁର୍ଗତି ନାଶିନୀ

ଅଲୌକିକ ଦିବ୍ୟ ଦୃଷ୍ଟି 

ନବ ଉଚ୍ଛ୍ବାସରେ ମୁଗ୍ଧ ପୁଲକରେ

ରୋମାଞ୍ଚିତ ହେଉ ମାଟି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍