ଡଙ୍ଗା
ଡଙ୍ଗା
1 min
220
ଓଳିରୁ ଝରି ବରଷାପାଣି
ଗାଁ ଦାଣ୍ଡେ ଯେବେ ଛୁଟେ,
ଚପଳମତି ଶିଶୁର ଓଠେ
ହସର ଫୁଲ ଫୁଟେ ;
କୁନିହାତର କାଗଜ ଭାଙ୍ଗେ
ଭାସଇ ପାଣି ସୁଏ
ଡଙ୍ଗାଟିଏ ମୁଁ ଡଙ୍ଗାଟିଏ ।।
ଚଷାପୁଅଟା ଢାଳେ ତୋରାଣି
ଅରୁଆକୁଣ୍ଡାପେଜ,
ଗାଈବାଛୁରୀବଳଦ ପାଇଁ
ଖାଇବା କରେ ସଜ ;
ସବୁରି ତୁଣ୍ଡ ଦେହକୁ ମୋର
ସରାଗେ ଅତି ଛୁଏଁ
ଡଙ୍ଗାଟିଏ ମୁଁ ଡଙ୍ଗାଟିଏ ।।
ସାଗରୁ ମାଛ ଆଣଇ ଛାଣି
ବିକି ବଜାର ହାଟ,
ଜୀବିକାଜାଲପାଲକୁ ନେଇ
ପୋଷଇ ତା'ର ପେଟ ;
ନାବିକ ସୁଖଦୁଃଖର ସାଥି
କାତଟି ବାହିନିଏ
ଡଙ୍ଗାଟିଏ ମୁଁ ଡଙ୍ଗାଟିଏ ।।
ଭାଗ୍ୟର ଡୋର ନେଉଛି ଟାଣି
ସଂସାର ସିନ୍ଧୁ ପରେ,
ପ୍ରାଣ ସଉଦା କରଇ କାଳ
ଧରମ ନିକିତିରେ ;
ଦଇବ ମୋର ଚାଳକ ସାଜି
ଦିଗକୁ ମୋଡ଼ ଦିଏ
ଡଙ୍ଗାଟିଏ ମୁଁ ଡଙ୍ଗାଟିଏ ।।
