STORYMIRROR

Pritipriya Mohanty

Others

3  

Pritipriya Mohanty

Others

ଡାକିଲେ ମଲି ନ ଡାକିଲେ ମଲି

ଡାକିଲେ ମଲି ନ ଡାକିଲେ ମଲି

1 min
13.1K


ଲୋକଙ୍କ କଥାକୁ ଧରି ବସିବଯେ

ପାରିବନି କରି କିଛି,

ଲୋକ କଥା ଶୁଣି କି ଅବସ୍ଥା ହୁଏ

ବିସ୍ତୃତରେ ଜଣାଉଛି।


ହେଇଟି ଶୁଣୁଛ ସମ୍ବୋଧନ କରି

ସ୍ୱାମୀଙ୍କୁ ଥିଲି ମୁଁ ଡାକି

ରାଗିକରି ସେ ଜଣାଇଲେ ତୁମେ

କୋଉ ଯୁଗେ ଅଛ କହିବକି।


ନାଁ ଧରି ମୋର ଆଜିଠୁ ଡାକିବ

ଛାଡ଼ ସେ କାଳିଆ କଥା

ସାଙ୍ଗସାଥି ମୋର ପାଖେ ଥିଲାବେଳେ

ଲାଜେ ନଇଁଯାଏ ମଥା।


ପତିଦେବ କଥା ଅମାନ୍ୟ ନ କରି

ଡାକିଲି ତାଙ୍କ ନିର୍ଦ୍ଦେଶେ

ଡର ଥିଲା ଯେଉଁ କଥାକୁ ମୋହର

ଘଟିଲା ବି ତାହା ଶେଷେ।


ଶାଶୁ ମା' କାନେ ପଡିଲା ଏ କଥା

ରାଗେ ହେଲେ ଗରଗର,

କହିଲେ ଇଏ ଠିକ୍ କଥା ନୁହେଁ

ନାଁ ଧରିବାଟା ସ୍ୱାମୀର।


ଭଉଣୀକୁ ଯେବେ ଜଣାଇଲି ଦୁଃଖ

ବୁଦ୍ଧିଟିଏ ଦେଲା ସିଏ,

ଗେଲୁ, ଧନ କହି ଭାଇଙ୍କୁ ଡାକୁନୁ

ମଡର୍ନ ଯୁଗ ତ ଇଏ।


ଭଉଣୀ କଥା ମୋ ମନକୁ ପାଇଲା

ଭାବିଲି ଏ ଠିକ ହେବ,

ଏମିତି କହି ମୁଁ ଡାକିଲେ ପତିଙ୍କୁ

ନ ହେବ କାହାର କ୍ଷୋଭ।


କାନରେ ବାଜିଲା ସାହିପଡ଼ିଶାଙ୍କ

ହେଲେ କେତେ ହସାହସି,

କହିଲେ ଇଏ କି ଯୁଗ ହେଲା

ଲାଜନାହିଁ ବଦମାସି।


ମିକୁ ବାପା କହି ପତିଙ୍କୁଡାକିଲେ

ଚିକୁ କରେ ଅଭିମାନ,

ଚିକୁ ବାପା କହି ଡାକିଲେ ବି ମୁଁ

ମିକୁ ମାରିବସେ ମନ।


ମନେ ମନେ ମୁଁ ସ୍ଥିର କଲି

ଡାକିବିନି କିଛି କହି,

ଦରକାରୀ ଯଦି ପଡ଼ଇ ସେତିକି

ଇଙ୍ଗିତ ଟେ ଦେବି ମୁହିଁ।


ପତିଦେବଙ୍କର ବାଲ୍ୟବନ୍ଧୁ ଜଣେ

ଆସିଥିଲେ ଆମ ଘର,

ଦରକାରୀ କିଛି ଚିଜ ଲୋଡ଼ା ବୋଲି

ପତିଙ୍କୁ ମାରିଲି ଠାର।


ଠାର ଡାକ ମୋର ଦେଖି ଦେଇ ବନ୍ଧୁ

ମାଡିଗଲେ ପତି କତି,

କହିଲେ ବିଧାତା ତୋ ପାଇଁ ରଖିଲା

ମୁକ ସ୍ତ୍ରୀ ଏଇମିତି।


ହସିବିକି ମୁଁ କାନ୍ଦିବି ସତରେ

ପାରିଲିନି ଜାଣି କିଛି

ଡାକିଲେ ବି ମଲି ନ ଡାକିଲେ ମଲି

ହସୁଥାଏ ମିଛି ମିଛି।


ପ୍ରୀତିପ୍ରିୟା ମହାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍